ଭଞ୍ଜନଗର,୦୧/୦୩ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ଭିଧାନ ଅନୁଯାୟୀ ଏକାଡେମୀର ନୂଆ ସାଧାରଣ ପରିଷଦ ଗଠନ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁମୋଦନରେ ଏହାର ପୁନର୍ଗଠନ ହୋଇଛି। ଏନେଇ ଏକାଡେମୀ ପକ୍ଷରୁ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି। ଏକାଡେମୀ ସମ୍ବିଧାନର ପୂର୍ବ ନିୟମରେ ସଂଶୋଧନ କରାଯାଇ ପ୍ରଥମଥର ପାଇଁ ଓଡିଶା ର ୩୦ ଜିଲ୍ଲାରୁ ୩୦ ଜଣ ସଦସ୍ୟଙ୍କୁ ସାଧାରଣ ପରିଷଦରେ ସ୍ଥାନ ଦିଆଯାଇଛି। ଏଥି ସହିତ ପୂର୍ଵ ଧାରା ଅନୁଯାୟୀ କଳା, ସଂସ୍କୃତି କ୍ଷେତ୍ରରେ ବିଶେଷ ପାରଦର୍ଶିତା ହାସଲ କରିଥିବା ୮ ଜଣ ବିଶେଷଜ୍ଞ ସଦସ୍ୟଙ୍କୁ ସ୍ଥାନିତ କରାଯାଇଛି। ଏମାନଙ୍କ ମଧ୍ୟରେ ନାଟ୍ୟ କଳାରେ ଦିଲେଶ୍ଵର ମହାରଣା, କେଶରଞ୍ଜନ ପ୍ରଧାନ, ନୃତ୍ୟରେ ନିରଞ୍ଜନ ରାଉତ ଓ ସୁଜାତା ମହାପାତ୍ର, ସଂଗୀତରେ ଧନେଶ୍ୱର ସ୍ୱାଇଁ, ସଂଗୀତା ପଣ୍ଡା,ଲୋକକଳାରେ ରଞ୍ଜନ କୁମାର ସାହୁ ଶୁଭଶ୍ରୀ ମୁଖାର୍ଜୀ ରହିଛନ୍ତି। ସେହିପରି ୩୦ ଜଣ ସଦସ୍ୟଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଜଗଦିଶ ପାଣିଗ୍ରାହୀ ସ୍ଥାନ ପାଇଛନ୍ତି। ଏହା ସହିତ ଏକାଡେମୀ ସଭାପତି, ଉପସଭାପତି, ସଚିବ, କୋଷାଧକ୍ଷ ତଥା ଅର୍ଥ ପରାମର୍ଶଦାତା ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ, ସଂସ୍କୃତି ନିର୍ଦେଶକ, ଉଚ୍ଚ ଶିକ୍ଷା ନିର୍ଦେଶକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି, ଓଡିଶା ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଓଡିଶା ଲଳିତ କଳା ଏକାଡେମୀ ସଚିବ ସଦସ୍ୟ ରହିବେ।