ଭଞ୍ଜନଗର— ମଙ୍ଗଳବାର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ଆସ୍କା ରେଞ୍ଜ କାର୍ଯ୍ୟାଳୟ ପରିସର ଠାରେ ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ(ଓଡ଼ିଶା ବନ ସେବା),ଙ୍କ ପୌରୋହିତ୍ୟରେ ଏକ ବନାଗ୍ନି ପ୍ରଶମନ ସଚେତନତା ମାର୍ଗ ଦର୍ଶୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ଶ୍ରୀ ସରୋଜ କୁମାର ପାଢୀ ଏହାକୁ ଉଦ୍ଘାଟନ କରି ଆସିକା ସହର ଓ ଆଖ ପାଖ ସହରୀ ଅଞ୍ଚଳର ଜଳବାୟୁ ସନ୍ତୁଳନ ନିମିତ୍ତ ବାଧ୍ୟତା ମୂଳକ ଚାରା ରୋପଣ ତଥା ପ୍ରତିବର୍ଷ ଖରା ଦିନେ ପାହାଡ଼ ଜଙ୍ଗଲରେ ଲାଗୁଥିବା ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିବା ପାଇଁ ସମସ୍ତ ରାଜନୈତିକ ଦୃଢ଼ ଇଚ୍ଛା ଶକ୍ତି ରହିଛି ବୋଲି ଆହ୍ଵାନ ଦେଇଥିଲେ । ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ ସଭା ଅଧ୍ୟକ୍ଷତା କରି ଚଳିତ ବର୍ଷ ଆଗୁଆ ନିଆଁ ପ୍ରଶମନ ନିମିତ୍ତ ଭବ୍ୟ ଯୋଜନା ସକ୍ରିୟ କରା ଯାଇଛି ଓ ନିଶ୍ଚୟ ସ୍ଥାନୀୟ ଜନ ସହଯୋଗ କ୍ରମେ ଆଗାମୀ ଗ୍ରୀଷ୍ମ କାଳୀନ ଆଗୁଆ ଅଗ୍ନି ନିରାକରଣ କାର୍ଯ୍ୟ ସଂପୂର୍ଣ୍ଣ ସଫଳ ହେବ ବୋଲି ପ୍ରେସ ମିଡ଼ିଆ ଆଗରେ ଆଶା ପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବ ଶ୍ରୀ ସମୀର କୁମାର ପ୍ରଧାନ, ଅମୂଲ୍ୟ କୁମାର ଉପାଧ୍ୟାୟ, ଫାୟାର ବ୍ରିଗେଡ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ବି ଡି ଓ ଶ୍ରୀମତୀ ସଂଗୀତା ଷଡ଼ଙ୍ଗୀ,ଆସ୍କା ବିଜ୍ଞାନ ମହା ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମୁନି,,ବ୍ଲକ ଭେଟେନାରୀ ଅଧିକାରୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଗଞ୍ଜାମର ଗର୍ବ ବିରଳ କୃଷ୍ଣ ସାର ମୃଗ,ଜାତୀୟ ପକ୍ଷୀ ମୟୂର ,ମାଙ୍କଡ,ହାତୀ ,ସାପ, ବାରହା ଇତ୍ୟାଦି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଜଳ ବ୍ୟବସ୍ଥା ଓ ଆନୁଷଙ୍ଗିକ ସାମଗ୍ରୀ ତଥା ଜଙ୍ଗଲ ନିଆଁ ପ୍ରଶମନ ପାଇଁ ଉଭୟ ସ୍ଥାନୀୟ ଗ୍ରାମବାସୀ, ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଅଧିକ ପରିଶ୍ରମ କରିବାକୁ ଅନୁରୋଧ କରିଥିଲେ ।ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଶୁଳପାଣି ଶତପଥୀ ଜଙ୍ଗଲ ହାନିର ମୁଖ୍ୟ କାରଣ ଅବାଧ ଜଙ୍ଗଲ ଚୋରି,ବନାଗ୍ନି, ଜବର ଦଖଲ ବୋଲି କହିଥିଲେ ଓ ନିଆଁ ଦାଉରୁ କିଭଳି ପୂର୍ବବତ୍ ଅଧିକ ଲୋକ ଓ ବିଶେଷ କରି ବନ ସୁରକ୍ଷା ସମିତି ମହିଳାଙ୍କ ଭାଗିଦାରୀ ତଥା ସାଂସ୍କୃତିକ ସଚେତନତା ଓ ସହଯୋଗ ଆଧିକ୍ୟ ରହିବ ଦର୍ଶାଇ ଥିଲେ । ବନସାଥି ତଥା ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ବେଦ ପାଠ ପୂର୍ବକ ଅତିଥି ପରିଚୟ ପ୍ରଦାନ କରି ନିଜ ବକ୍ତବ୍ୟରେ ଗଞ୍ଜାମ ଗଙ୍ଗା ଋଷିକୂଲ୍ୟା ନଦୀ ସଭ୍ୟତାର ମାହାତ୍ମ୍ୟ ଓ ମୂଲ୍ୟବାନ ବନଃସ୍ପତୀ ଜଡି ବୁଟି ଗୁଳ୍ମ ଲତାର ସୁରକ୍ଷା ପାଇଁ ଜଙ୍ଗଲକୁ ନିଆଁ ମୁକ୍ତ କରିବା ପାଇଁ ଆହ୍ଵାନ ଦେଇ ଥିଲେ ।ବୁଗୁଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ମଧ୍ୟ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ବିଭିନ୍ନ ଅନ୍ୟାନ୍ୟ ବିଭାଗର ସହଯୋଗ ରହି ଆସିଛି ବୋଲି କହି ଥିଲେ ।ଆବାହକ ଆସ୍କା ବନାଞ୍ଚଳ ଅଧିକାରୀ ମଞ୍ଚାସୀନ ଅତିଥି ,ବକ୍ତା ବୃନ୍ଦ ତଥା ଗଣ ମାଧ୍ୟମ ଓ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଦେଇ ଥିଲେ । ଦକ୍ଷତା ଓ ମନୋବଳ ବୃଦ୍ଧି ନିମିତ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଗ୍ନି ଶମ କର୍ମୀ, ଜଙ୍ଗଲ ସ୍କ୍ୱାର୍ଡ କର୍ମୀ ଓ ବିଶେଷ କରି କଲେଜ ଏନ ସି ସି ଛାତ୍ର ଛାତ୍ରୀ ବୃନ୍ଦ ସ୍ଵତନ୍ତ୍ର ଭାବେ ସାମୟିକ ପ୍ୟାରେଡ ଶୋ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବନ ସୁରକ୍ଷା ସଂକଳ୍ପ, ଜାତୀୟ ସଙ୍ଗୀତ ଗାନ ସାଙ୍ଗକୁ ବୈଦିକ ଶାନ୍ତି ମନ୍ତ୍ର ପାଠ କରା ଯାଇ ସଭା ସାଙ୍ଗ ହୋଇଥିଲା ।