Odisha news

ଭଞ୍ଜନଗର : ଅଲାଡିର ବସନ୍ତ ଗୌଡ ହତ୍ୟା ମାମଲାରେ ଜଗନ୍ନାଥପ୍ରସାଦ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ୨ଟି ମଟର ସାଇକେଲ୍ ଓ ମାରଣାସ୍ତ୍ର ଜବତ

0

ଭଞ୍ଜନଗର – ଅଲାଡିର ବସନ୍ତ ଗୌଡ ହତ୍ୟା ମାମଲାରେ ଜଗନ୍ନାଥପ୍ରସାଦ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ହତ୍ୟାରେ ବ୍ୟବହୃତ ୨ଟି ମଟର ସାଇକେଲ୍ ଓ ମାରଣାସ୍ତ୍ର ଜବତ କରିଛି । ଥାନା କେଶ ନମ୍ବର- ୧୧୪/୨୦ ପ୍ରକାରେ ହତ୍ୟା ମାମଲା ରୁଜୁ କରାଯିବାସହ ୪ଜଣ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲଣ କରାଯାଇଥିବା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ସୁଚନା ଦେଇଛନ୍ତି । ଥାନା ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ସୁଚନା ପ୍ରକାରେ ଗତ ୧୮ ତାରିଖ ରାତିରେ ଉକ୍ତ ଥାନା ଅନ୍ତଗର୍ତ ଅଲାଡି ଗ୍ରାମର ପୂର୍ବତନ ସରପଞ୍ଚ ପିଣ୍ଟୁ ସାସମଲ ଓ ତାଙ୍କ ସହଯୋଗୀ ବସନ୍ତ ଗୌଡ ଏକ ମଟର ସାଇକେଲରେ ପଞ୍ଚଭୂତିରୁ ଅଲାଡି ଫେରୁଥିବାବେଳେ ରାସ୍ତାରେ କୁମୁଣ୍ଡ ଠାରେ ୧୦ରୁ ଉର୍ଦ୍ଧ ଯୁବକ ବିଭିନ୍ନ ମାରଣାସ୍ତ୍ରରେ ଉଭୟଙ୍କୁ ଅତିର୍କିତ ଆକ୍ରମଣ କରିଥିଲେ ।

ଏଥିରେ ଉଭୟ ପିଣ୍ଟୁ ସାସମଲ ଓ ବସନ୍ତ ଗୌଡ ଗୁରୁତର ଆହାତ ହୋଇଥିବାବେଳେ ଆହାତମାନଙ୍କୁ ପ୍ରଥମେ ଜଗନ୍ନାଥପ୍ରସାଦ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବସନ୍ତର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଗନ୍ନାଥପ୍ରସାଦ ପୁଲିସ ବିଡିପୁରର ସୁଧୀର ପଲାଇ, ଭଞ୍ଜ ଡାକୁଆ, ଝାଡଭୂମି ଗ୍ରାମର ବସନ୍ତ ବିଶ୍ୱାଳ ଓ ତେନ୍ତୁଳିଆ ଗ୍ରାମର ନାରାୟଣ ସ୍ୱାଇଁ ନାମକ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଦଫା ୩୦୨ ଓ ୩୪ ଆଇପିସି ପ୍ରକାରେ କୋର୍ଟଚାଲଣ କରିଥିବାବେଳେ ଜାମିନ ନାମଞ୍ଜୁର କାରଣରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୁଚନାଯୋଗ୍ୟଯେ ଅଲାଡିର ପୂର୍ବତନ ସରପଞ୍ଚ ପିଣ୍ଟୁ ସାସମଲଙ୍କ ସହ ବିଭିନ୍ନ କାରଣରୁ ତାଙ୍କ ସହ ଅନେକଙ୍କ ପୂର୍ବ ଶତୃତା ଲାଗିରହିଛି । ଆଉ ଏହି ଶତୃତା କାରଣରୁ ହିଁ ୧୮ ତାରିଖ ରାତିରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅନୁମାନ କରିଛି ପୁଲିସ । ଏଥିରେ ପୂର୍ବତନ ସରପଞ୍ଚ ପିଣ୍ଟୁ ଗୁରୁତର ଆହାତ ହୋଇଥିଲେ ମଧ୍ୟ ତାଙ୍କର ସହଯୋଗୀ ବସନ୍ତ ପିଣ୍ଟୁଙ୍କୁ ବଞ୍ଚାଇବାକୁ ଯାଇ ନିଜର ଜୀବନ ହାରିଛନ୍ତି । ଏହି ଘଟଣାରେ ଅନେକଙ୍କ ସଂପୃକ୍ତି ରହିଥିବାବେଳେ ଏବେ ୪ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ଧରାପଡିବେବୋଲି ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.