କାର୍ଯ୍ୟରତ ଜି.ଆର୍.ଏସ୍ ଙ୍କୁ ଆକ୍ରମଣ ଅଭିଯୋଗରେ ଥାନା ରେ ଏତାଲା : ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ , ବ୍ଳକ ଆଗରେ ଧାରଣା
ଭଞ୍ଜନଗର— କାର୍ଯ୍ୟରତ ଗ୍ରାମ ରୋଜଗାର ସେବକଙ୍କୁ ଆକ୍ରମଣ ଅଭିଯୋଗ । ଏନେଇ ଥାନା ରେ ଲିଖିତ ଅଭିଯୋଗ କରାଯିବା ସହ , ସଂପୃକ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଳକ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଗ୍ରାମ ରୋଜଗାର ସେବକ ସଂଘ । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକର , ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତର ବିଞ୍ଚଣା ଗ୍ରାମରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ କ୍ଷତ୍ରିୟବରପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସତ୍ୟନାରାୟଣ ପଟ୍ଟନାୟକ , କିଛି ଉନ୍ନୟନ ମୂଳକ କାର୍ଯ୍ୟର ଫଟୋ ଉଠାଇବା ସହ ଜିଓଟେଗ୍ କରିବା ପାଇଁ ବିଞ୍ଚଣା ଗ୍ରାମକୁ ଯାଇଥିଲେ ।
ସେଠାରେ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଆସି , ସତ୍ୟନାରାୟଣ ଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରି , ହତ୍ୟା ଧମକ ଦେଇଥିବା ସଂକ୍ରାନ୍ତରେ ବେଲଗୁଣ୍ଠା ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ହୋଇଥିବା ଅଭିଯୋଗ ଆଧାରରେ , ବିଡ଼ିଓ ଶଶୀଭୂଷଣ ମହାପାତ୍ର ଗାଙ୍ଗପୁର ଥାନା ରେ ଲିଖିତ ଏତାଲା ଦେଇଥିଲେ । ଏନେଇ ଗାଙ୍ଗପୁର ଥାନା ପୋଲିସ , ୧୭୯/୨୨ ରେ ଏକ ମାମଲା ରୁଜୁ କରିଛି । ଅନ୍ୟପକ୍ଷରେ ଆକ୍ରମଣ ର ଶିକାର ହୋଇଥିବା ଜିଆରଏସ୍ – ସତ୍ୟନାରାୟଣ ଏବଂ ବ୍ଳକ ର ଅନ୍ୟ ଜିଆରଏସ୍ ମାନେ ଏକାଠି ହୋଇ , ସୋମବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦେଇ , ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଥିଲେ । ଗ୍ରାମ ରୋଜଗାର ସେବକ ଙ୍କୁ ସୁରକ୍ଷା ଓ ଅଭିଯୁକ୍ତ କୁ ଗିରଫ ଦାବିରେ , ପୁଣି ମଙ୍ଗଳବାର ଠାରୁ ଜିଲ୍ଲାର ବିଭିନ୍ନ ବ୍ଳକର ଜିଆରଏସ୍ ମାନେ ଏକାଠି ହୋଇ ପ୍ରତିବାଦରେ ସାମିଲ ହେବେ ବୋଲି ଜଣାପଡିଛି ।
