ଭଦ୍ରକ/ଆରଡି :ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ପ୍ରାୟ ୨ଶହ ଫୁଟର ଲୁଣାବନ୍ଧ ବୁଧବାର ସାମୁଦ୍ରିକ ଜୁଆର ମାଡରେ ନଦୀ ମଧ୍ୟକୁ ଧସି ଯାଇଥିଲା । ଯାହାକୁ ନେଇ ନଦୀକୂଳିଆବାସୀ ଭୟଭିତ ହୋଇ ପଡିଥିବା ବେଳେ ଶହଶହ ଚାଷୀଙ୍କର ଧାନ ତଳି ଉଜୁଡି ଯିବ ବୋଲି ଆଶଙ୍କା ଦେଖା ଦେଇଛି । ଗତ ଦୁଇଦିନ ତଳେ ଅମାବାସ୍ୟା ଜୁଆର ମାଡର ଅତଡା ଖଣ୍ଡ ଖସୁଥିବା ଗ୍ରାମବାସୀ ପ୍ରକାଶ କରିବା ସହ ବୁଧବାର ୨ଶହ ଫୁଟ ଲମ୍ବର ଲୁଣାବନ୍ଦ ନଦୀ ମଧ୍ୟକୁ ଧସି ଯାଇଥିବା ଗାଁର ନିତ୍ୟାନନ୍ଦ ମଲିକ, କେଦାର ଦାସ ପ୍ରମୁଖ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ ଗ୍ରୀଷ୍ମଋତୁରେ ଅଦିନିଆ ବର୍ଷାରେ ଉକ୍ତ ସ୍ଥାନରେ ଲୁଣାବନ୍ଧ ପ୍ରାୟ ୩ଶହଫୁଟ ଧସି ଯାଇଥିବା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଯାଜପୁର ଜଳସେ‘ନ ବିଭାଗ ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ନଥିବା ଏବେ ମୁଆଁ ଗାଁର ନଦୀକୂଳିଆଙ୍କ ସହ ଚାଷୀମାନେ ପ୍ରକାଶ କରିଛନ୍ତି । ଏପରିକି ତାଙ୍କର କହିବା ଅନୁଯାୟୀ ଯଦି ଖରାଦିନେ ଏହି ସ୍ଥାନରେ ଲୁଣାବନ୍ଦର ମରାମତି ହୋଇଥାନ୍ତା ତାହାଲେ ଏପରି ଭୟାନକ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ହେଲେ ଜଳସେ‘ନ ବିଭାଗର ଖାମଖିଆଲି ମନଭାବ ଯୋଗୁ ଏବେ ଯଦି ଲୁଣାବନ୍ଦ ସମ୍ପୁର୍ଣ୍ଣ ଧୋଇଯାଏ ତାହାଲେ ଶହଶହ ଏକର ସାରଦ ଧାନତଳି ଉଜୁଡି ଯିବ ବୋଲି ଆଶଙ୍କା ଦେଖା ଦେଇଛି । ଆଗକୁ ଯଦି ଲଗାଣ ବର୍ଷା କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତାହାଲେ ଘାଇ ହେବା ସନୁଶ୍ଚିତ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।
