ବେତନଟୀ : ଚଳିତ ବର୍ଷ ଲଘୁଚାପ ବର୍ଷା ହେତୁ ବୁଢ଼ାବଳଙ୍ଗ ନଦୀ ଫୁଲି ଥିବାର ଦେଖା ଯାଇଛି । ଦାରିହା କୁଣ୍ଡି ଦେଇ ବୁଢ଼ାବଳଙ୍ଗର ବଢ଼ି ପାଣି ଆସିବା ଫଳରେ ବୈଶିଙ୍ଗା-ମାଣତ୍ରୀ ଏମଡିଆର-୭୦ର ଅନ୍ଧାରୀ ନାଳ ପାଖରେ ଯାତାୟତ ରାସ୍ତା ବୁଡି ଯାଇ ଥିବାର ଜଣା ପଡିଛି । ଏହା ଦ୍ୱାରା ଉଭୟ ପଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି ।
ଆଜି ଦିନ ତମାମ ଏହି ରାସ୍ତା ଦେଇ ଲୋକ ମାନେ ଯିବା ଆସିବା କରି ପାରି ନାହାଁନ୍ତି । ସନ୍ଧ୍ୟା ସୁଧା ପାଣିର ସ୍ତର ଓ ଗତି ପ୍ରଖର ଥିବାରୁ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରି ପାରି ନଥିବାର ଜଣା ପଡିଛି । ବୁଢ଼ାବଳଙ୍ଗର ବଢ଼ି ପାଣି ହେତୁ ନଦୀ କୂଳ ଡେଇଁ କୂଳ ପାଖରେ ଥିବା ପାଳ ଜମି ଓ ପନିପରିବା ଚାଷ ଗୁଡିକ ଉପରେ ମାଡି ଯାଇଛି । ନାଖରାରୁ ଖଣ୍ଡଦେଉଳା, ପ୍ରତୀମାଦେଇପୁର, ବେଲାଣପୁରା, କାଠପାଳ, ଦାରିହା ପ୍ରଭୃତି ଗ୍ରାମର ପରିବା ଚାଷୀ ମାନଙ୍କର ଚାଷ ଉପରେ ପାଣି ମାଡି ଯାଇଛି । ଏହା ଦ୍ୱାରା ପରିବା ଚାଷୀ ମାନେ ହତୋସôାହ ହୋଇ ଥିବାର ଜଣା ପଡିଛି ।
ବୁଢ଼ାବଳଙ୍ଗ ବନ୍ୟାରେ ସାଧାରଣତଃ ପାଟଳୀପୁରା ପଞ୍ଚାୟତର ୧୩ଟି, ଗଡଦେଉଳିଆ ପଞ୍ଚାୟତର ଗୋଟିଏ ଓ କଳମା ପଞ୍ଚାୟତର ୨ଟି ଗ୍ରାମ ବିଶେଷ କରି ପ୍ରଭାବିତ ହୋଇ ଥାଏ । ବୁଢ଼ାବଳଙ୍ଗ ପାଣି ତଳକୁ ତଳକୁ ଗଲେ ଏହାର ଗତି କ୍ଷୀପ୍ର ହେଉ ଥିବାରୁ ଏହା ବାଲେଶ୍ୱର ଜିଲ୍ଲା ନିଜାମପୁର ପଞ୍ଚାୟତର ବାଙ୍କତୀରା ଗ୍ରାମକୁ ମଧ୍ୟ ପ୍ରଭାବିତ କରି ଥାଏ । ବୁଢ଼ାବଳଙ୍ଗ ପାଣିର କ୍ଷୀପ୍ରତା ହେତୁ ବାଙ୍କତୀରା ଗ୍ରାମର ଚାରି ପାଖରେ କୃତ୍ରିମ ନାଳ ଓ ଲହର ସବୁ ଦେଖିବାକୁ ମିଳୁଛି । ଆଗକୁ ବର୍ଷା ଜାରି ରହିଲେ ଓ ଉପରମୁଣ୍ଡାର ପାଣି ଆସିଲେ ଗ୍ରାମରେ ପାଣି ପଶିବାର ଆଶଙ୍କା ରହିଛି । ବେତନଟୀ ବ୍ଲକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆଗ୍ରିଆ ପିଇଜିରେ ଖାଦ୍ୟ ଶସ୍ୟ ସଂରକ୍ଷିତ ରଖା ଯାଇ ଥିବାର ଜଣା ପଡିଛି । ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକ କରୋନା କାର୍ଯ୍ୟ ସହିତ ବନ୍ୟା ମୁକାବିଲା ଉପରେ ମଧ୍ୟ ଦୃଷ୍ଟି ରଖି ଥିବାର ଜଣା ପଡିଛି ।