ବାଲେଶ୍ୱର : ଉତ୍ତର ଓଡ଼ିଶାର ସର୍ବବୃହତ୍ତ କାରଖାନା ବିରଳା ଟାୟାରର୍ସର ଆର୍ଥିକ ସ୍ଥିତି ଭଲ ନଥିବାରୁ କର୍ମଚାରୀ ଓ ଶ୍ରମିକମାନଙ୍କୁ ନିୟମିତ ଭାବରେ କମ୍ପାନୀ ଦରମା ଦେଇପାରୁ ନାହିଁ । ଦେଶରେ ଟାୟାର ବଜାର ମାନ୍ଦାବସ୍ଥା ଦେଖାଦେଇଥିବାରୁ କୌଣସି ଅର୍ଡର କମ୍ପାନୀଙ୍କୁ ମିଳୁନଥିବା କୁହାଯାଉଛି । ଫଳରେ ଏହିଭଳି ଅଚଳାବସ୍ଥା ଲାଗିରହିଛି ଏବଂ ଶ୍ରମିକମାନେ ୮ମାସ ଧରି ଦରମା ପାଇନଥିବା ପ୍ରତିବାଦରେ ଆଜି କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଶହସ୍ରାଧିକ ଶ୍ରମିକ ଧାରଣାରେ ସପରିବାର ବସିବା ସଂଗେ ସଂଗେ କାରଖାନା ପରିସରକୁ କାହାକୁ ଛାଡ଼ି ନଥିଲେ । ଦରମା ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କମ୍ପାନୀର ଉତ୍ପାଦନ ନଥିବାରୁ ଶ୍ରମିକମାନଙ୍କୁ ଦରମା ଦିଆଯାଇ ପାରୁ ନଥିବା କୁହାଯାଇଥିଲା ।
ତେବେ ଆଉ କିଛିଦିନପରେ କମ୍ପାନୀ ଶ୍ରମିକମାନଙ୍କୁ କିଛି ଦରମା ପ୍ରଦାନ କରିବ ବୋଲି କହିଥିଲା । ଗେଟ୍ ସମ୍ମୁଖରେ ଏହିଭଳି ଅବସ୍ଥା ସୃଷ୍ଟି ହେବାରୁ ଖବର ପାଇ ସହକାରୀ ଶ୍ରମଅଧିକାରୀ ସଞ୍ଜୟ କେଶରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚôବା ମାତ୍ରେ ଉତ୍ତେଜିତ ଶ୍ରମିକମାନେ ତାଙ୍କୁ ଠେଲାପେଲା କରି ମାଡ଼ମାରିଥିବା ଅଭିଯୋଗ ହୋଇଛି । ପରେ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚô ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଶ୍ରମିକମାନଙ୍କୁ ଦରମା ପ୍ରଦାନକୁ କେନ୍ଦ୍ରକରି କାରଖାନା ଆଖପାଖ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଅପରପକ୍ଷରେ ଦୀର୍ଘଦିନ ଧରି ଦରମା ନପାଇ ଶ୍ରମିକମାନେ ନାହିଁ ନଥିବା ଅସୁବିଧାରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାକୁ ଦାବି ହୋଇଛି ।