ବେତନଟୀ : ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ଜିଲ୍ଲା ପରିକ୍ରମା ଗତ ପନ୍ଦର ତାରିଖ ଶୁକ୍ରବାର ଦିନ ବାରିପଦା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଶୁଭାରମ୍ଭ କରାଯାଇଥିଲା l ୩ ଦିନ ଧରି ସମଗ୍ର ଜିଲ୍ଲାର ୪ ଗୋଟି ଉପଖଣ୍ଡକୁ ଏହି ରଥ ପରିକ୍ରମା କରୁଥିବା ବେଳେ ଉଦଳାରୁ ଆଜି ପୂର୍ବାହ୍ନ ସମୟରେ ଏହି ରଥ ଏକ ବିଶାଳ ବାଇକ ରାଲି ସାହାଯ୍ୟରେ ଆସି ବୈଶିଙ୍ଗା ଠାରେ ପହଞ୍ଚି ଥିଲା l କେନ୍ଦୁଆ ସ୍ଥିତ ଶିବ ମନ୍ଦିର ନିକଟରେ ସ୍ଥାନୀୟ ଜନସାଧାରଣ ଜ୍ୟୋତିରଥକୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଆଧୁନିକ ଯୁଗରେ କଳା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ମହାନ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ l ଅନୁରୂପ ଭାବେ ବୈଶିଙ୍ଗା ଥାନା ପରିସରରେ ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏସଆଇ ଦେବାଶିଷ ମଣ୍ଡଳ, ଏଏସଆଇ ଭାବଗ୍ରାହୀ ମହାନ୍ତ, ସୁବ୍ରତ ସାହୁ, ମିତ୍ରଭାନୁ ବାରିକଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଜ୍ୟୋତି ରଥକୁ ଭବ୍ୟ ସ୍ୱାଗତ କରିଥିଲେ l ମହୋତ୍ସବର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ବ, ଦୀପକ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ସହାୟତା ଓ ସାଂସ୍କୃତିକ ଜାଗରଣ ସଦସ୍ୟମାନଙ୍କୁ ଏହି ଅଭିନଵ ପ୍ରୟାସ ନିମିତ ଶ୍ରୀଯୁକ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
