ବେତନଟୀ : ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ପଶ୍ଚିମବଙ୍ଗ ପରେ ରବିବାର ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ଅସନବଣି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ ଓ ପରେ ରବିବାର ବିଳମ୍ବିତ ରାତିରେ ଦହିକୋଟି, ବଡ଼ଛୁରୁଣୀ, ଆଗ୍ରିଆ, ଯୁଗୋଳ ହୋଇ ବଗଲପୁର ନିକଟରେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରିଥିଲେ l ଏହି ୧୬ ଟିକିଆ ହାତୀପଲରେ ଗୋଟେ ଦନ୍ତା ଓ ୪ଟି ଛୁଆ ସମେତ ୧୧ଟି ମାଈ ହାତୀ ଅଛନ୍ତି l ସେମାନେ ଆସିବା ରାସ୍ତାରେ ବ୍ୟାପକ ଧାନ, ପରିବା ଫସଲ ନଷ୍ଟ କରିଥିବା ସୂଚନା ମିଳିଛି l ସୁରକ୍ଷା ଦୃଷ୍ଟିରୁ ବେତନଟୀ ରେଞ୍ଜର ମନୁଆର ଖାନ ସମେତ ବହୁ ଫରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଉପସ୍ଥିତ ରହି ହାତୀପଲକୁ ନିୟନ୍ତ୍ରଣ କରୁଥିବାବେଳେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ଉଭୟ ପାର୍ଶ୍ଵରେ ଯାନବାହନକୁ ଚଳାଚଳକୁ ବି ନିୟନ୍ତ୍ରଣ କରିଥିଲେ l ହାତୀପଲ ୧୮ନଂ ଜାତୀୟରାଜପଥ ଏବଂ ରେଳପଥ ଅତିକ୍ରମ କରିବା ପରେ ସୋମବାର ଭୋର ନଡପୁର ଏବଂ ବୁଧବାର ଫୁଲଝରି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛି l ତେବେ ହାତୀପଲଙ୍କ ଆଗମନ ଯୋଗୁଁ ଚାଷୀକୁଳ ତଥା ବନାଞ୍ଚଳବାସୀ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି।