Odisha news

ବେତନଟୀ : ବିଜେପି ଦଳର ସାମ୍ବାଦିକ ସମ୍ମିଳନୀ , ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ତହସିଲଦାରଙ୍କୁ ଗିରଫ ନକଲେ ଜିଲ୍ଲା ବ୍ୟାପି ସମସ୍ତ ତହସିଲ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ

0

ବେତନଟୀ  : ଆଜି ବୈଶିଙ୍ଗା ବିଜେପି ପାର୍ଟି କାର୍ଯ୍ୟାଳୟରେ ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ତଥା ବୈଶିଙ୍ଗାର ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା । ଏଥିରେ ମୟୂରଭଞ୍ଜ ପୂର୍ବ ଜିଲ୍ଲାର ପୂର୍ବତନ ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବଡସାହି ବିଧାୟକ ସନାତନ ବିଜୁଳି, ଉପସଭାପତି ପରେଶ ଚନ୍ଦ୍ର ମହାନ୍ତ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡା, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ମୟୂରଭଞ୍ଜ ସାଂସଦ ଇଂ. ବିଶେଶ୍ୱର ଟୁଡୁଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି, ବୈଶିଙ୍ଗା ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ ।

ବେତନଟୀ ରାଜକିଶୋର ସାହା, ମାଣତ୍ରୀ ମଣ୍ଡଳ ସଭାପତି ସୁବାସ ଦ୍ୱିବେଦୀ, ମନୋରଞ୍ଜନ ରାଉତ, ବରିଷ୍ଠ ବିଜେପି ନେତା ପ୍ରଭାତ ଜେନା, ସୁଦର୍ଶନ ନାୟକ, ଶଶୀଶେଖର ପଣ୍ଡା, ମିନା ମହାନ୍ତ, କୁନା ମହାନ୍ତ ପ୍ରମୁଖ ଉପସ୍ଥିତ ରହି ମତ ରଖି ଥିଲେ । ବଡସାହିର ବ୍ୟବସାୟୀ ଶ୍ରୀକାନ୍ତ ଦାସଙ୍କ ଅଭିଯୋଗ ମୂଳେ ବୈଶିଙ୍ଗା ଥାନାରେ ବେତନଟୀ ତହସିଲଦାରଙ୍କ ନାମରେ ବଟି ଆଦାୟ ଓ ଚୋରି ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି । ଗାଡିରେ ଜଣେ ଅଜଣା ମହିଳାଙ୍କୁ ବସାଇ ତାଙ୍କୁ ଉପଜିଲ୍ଲାପାଳ ବୋଲି ପରିଚୟ ଦେଇ ତହସିଲଦାର ବଟି ଆଦାୟ କରିବା ଏକ ଗର୍ହିତ ଓ ଘୃଣ୍ୟ ଅପରାଧ ।

ଆଇନ ସମସ୍ତଙ୍କ ପାଇଁ ସମାନ, ତେଣୁ ଛୋଟକାଟ ଅପରାଧରେ ପୋଲିସ ସାଧାରଣ ଲୋକଙ୍କୁ ଯେପରି ଗିରଫ କରି କୋର୍ଟ ଚାଲାଣ କରୁଛି, ସେହିପରି ବେତନଟୀ ତହସିଲଦାର ଅନିଶାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି । ଜଣେ ସାଧାରଣ ମହିଳାଙ୍କୁ ଉପଜିଲ୍ଲାପାଳ ଦର୍ଶାଇ ରାତ୍ରିରେ ମୋରମ ବୋଝେଇ ଟ୍ରକରୁ ବଟି ନେବା ନବୀନ ବାବୁଙ୍କ ସୁଶାସନକୁ କୁଶାସନ ଭାବେ ପରିଗଣିତ କରିଛି । ସ୍ୱଚ୍ଛ ଶାସନ ଓ ୫ଟିର ବ୍ୟାପକ ପ୍ରଚାର କରୁ ଥିବା ରାଜ୍ୟ ସରକାର ଏବେ ଅଭିଯୁକ୍ତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି କାହିଁକି ବୋଲି ବିଜେପି ନେତା ମାନେ ପ୍ରଶ୍ନ କରି ଥିଲେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବେତନଟୀ ତହସିଲଦାରଙ୍କୁ ଗିରଫ କରା ନଗଲେ ମୟୂରଭଞ୍ଜର ସବୁ ତହସିଲକୁ ବିଜେପି ଘେରାଉ କରିବ ବୋଲି କହିଛି ।

ଦରକାର ପଡିଲେ ଜନ ସାଧାରଣଙ୍କ ସ୍ୱାର୍ଥକୁ ଲୁଣ୍ଠନ କରି କଳା ଧନ କମାଇବାକୁ ପ୍ରୟାସ କରୁ ଥିବା ବେତନଟୀ ତହସିଲଦାରଙ୍କ ଗିରଫ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରା ଯିବ ବୋଲି ବିଜେପି ନେତା ମାନେ ଦୃଢ଼ ମତ ଦେଇଛନ୍ତି । ବେତନଟୀ ତହସିଲର ପୁରୁଣିଆ, କେନ୍ଦୁଆ, ବୈଶିଙ୍ଗା, ଗଡଦେଉଳିଆ, ବେତନଟୀ, ସଠିଲୋ, ବଡସାହି ତହସିଲର ମାଣତ୍ରୀ ଓ ଅନ୍ୟାନ ପଞ୍ଚାୟତର ବିଭିନ୍ନ ସ୍ଥାନରୁ ଉଠି ଥିବା ମୋରମ ଖାଲ ଗୁଡିକର ମାପ କରା ଯାଇ ସେଥିରୁ କେତେ ପରିମାଣର ମୋରମ ଉଠିଛି ତାର ଆକଳନ କରା ଯିବା ଦରକାର ।

ଏହି ମୋରମର ସରକାରୀ ମୂଲ୍ୟ କେତେ ତାକୁ ମଧ୍ୟ ଆକଳନ କରା ଯିବା ଆବଶ୍ୟକତା ରହିଛି । ସରକାରୀ ନିୟମ ମୁତାବକ ଗୋଟିଏ ତହସିଲ ଅଞ୍ଚରୁ ମୋରମ ଉଠି ଥିଲେ ତହସିଲଦାରଙ୍କ ନାଜର ପାଖରେ ତାର କେସ ରେକର୍ଡ ଖୋଲା ଯାଇ ଥିବ । ମୋରମ ବାବଦରେ ରୟାଲଟୀ, ୱାଟର ଚାର୍ଜ ଓ ସେସ ମିଶାଇ ସରକାରୀ ରସିଦରେ ରାଜସ୍ୱ ପୈଠ କରା ଯାଇ ଥିବ । ଏହା ହୋଇ ନଥିଲେ ମୋରମ ଉଠାଣକୁ ବେଆଇନ ବୋଲି ପରିଗଣିତ ହେବ ଓ ଏବେ ବେତନଟୀ ତହସିଲରୁ ଉଠି ଥିବା ହଜାର ହଜାର ଟ୍ରିପ ମୋରମର ଆକଳନ କରିବା ଆବଶ୍ୟକ ରହିଛି । ଏଥିରୁ କେତେ ରାଜସ୍ୱ କ୍ଷତି ହେଲାଣି ତାର ଆକଳନ କରିବା ଆବଶ୍ୟକ ।

ମତ ରଖି ବଡସାହି ବିଧାୟକ କହିଲେ ଜଣେ ତହସିଲଦାରଙ୍କ ଏପରି କାର୍ଯ୍ୟ ମୟୂରଭଞ୍ଜର ଇତିହାସକୁ କଳଙ୍କିତ କରିଛି । ସେ ନିଜେ ଗତକାଲି ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ତହସିଲଦାରଙ୍କୁ ଗିରଫ କରିବାକୁ ଦାବି କରି ଥିଲେ । ଉଭୟ ଜିଲ୍ଲା ସ୍ତରୀୟ ଅଧିକାରୀ ନିର୍ଭର ପ୍ରତିଶୃତି ଦେଇ ଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରି ନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରି ଥିଲେ । ମୋରମରୁ କେତେ ରାଜସ୍ୱ ଆସିଛି, କେତେ ୱାଟର ଚାର୍ଜ, କେତେ ସେସ ଆଦାୟ ହୋଇଛି ତାର ଖୋଳତାଡ ହେବା ଆବଶ୍ୟକ ବୋଲି ବିଧାୟକ କହି ଥିଲେ । ସଭାପତି କାନ୍ଦ୍ରା ସୋରେନ ମୟୂରଭଞ୍ଜରୁ ଲଘୁ ଖଣିଜ ପଡୋଶୀ ପଶ୍ଚିମବଙ୍ଗ ଓ ବାଲେଶ୍ୱର ଜିଲ୍ଲାକୁ ଚାଲାଣ ହେଉଛି । ଏପରିକି ଏହି ର୍ୟାକେଟ କେବଳ ବେତନଟୀ, ବଡସାହି ନୁହେଁ ମୋରଡା ଓ ରାସଗୋବିନ୍ଦପୁର ତହସିଲକୁ ବ୍ୟାପିଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ସରକାରୀ ରାଜସ୍ୱହାନୀ ହେଉଛି ବୋଲି ମତ ପ୍ରକାଶ କରିଛନ୍ତି । ଶେଷରେ ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା ଧନ୍ୟବାଦ ଅର୍ପଣ କରି ଥିବାର ଜଣା ପଡିଛି ।

Nalco

Leave A Reply