ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲରେ ଏକ କଳା ଅଧ୍ୟାୟ ସୃଷ୍ଟି ହୋଇଛି । ବେତନଟୀ ତହସିଲଦାର ଅନିଶା ଦାସଙ୍କ ବିରୁଦ୍ଧରେ ବୈଶିଙ୍ଗା ଥାନାରେ ବଟି ଆଦାୟ ଓ ଚୋରି ଦଫାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ପରେ ଘଟଣାଟି ସମ୍ବେଦନଶୀଳ ଥିବାରୁ ଏହି ମାମଲାକୁ ସିଧାସଳଖ ଭାବେ ମୟୂରଭଞ୍ଜ ଏସପି ସ୍ମିଥ ଏସ ପାରମାର ତଦାରଖ କରୁ ଥିବାର ଜଣା ପଡିଛି । ଏସପିଙ୍କ ନିଦେ୍ର୍ଦଶ କ୍ରମେ ଗତକାଲି ରାତ୍ରୀରେ ପୋଲିସ ତହସିଲଦାରଙ୍କୁ ପଚରା ଉଚରା କରି ଥିଲେ । ପୋଲିସ ପଚରାଉଚରା ବେଳେ ତହସିଲଦାର ଆଗକୁ ମଧ୍ୟ ତଦନ୍ତରେ ସହଯୋଗ କରିବେ ବୋଲି କହି ଥିଲେ ।
ଆଜି ମୟୂରଭଞ୍ଜ ଏସପିଙ୍କ ନିଦେ୍ର୍ଦଶକ୍ରମେ ପୁଣି ପଚରା ଉଚରା ପାଇଁ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବେତନଟୀ ଥାନା ଏସଆଇ ବିନୟ ରଞ୍ଜନ ପରିଡା ପ୍ରମୁଖ ତହସିଲ କାର୍ଯ୍ୟାଳୟକୁ ଯାଇ ଥିଲେ । ତେବେ ଏହି ସମୟରେ ତହସିଲଦାର ଅନିଶା ପୋଲିସକୁ ସହଯୋଗ କରିବା ପରିବର୍ତ୍ତେ ଗିରଫ ଭୟରେ ଏକ ଧଳା ମାରୁତି କାରରେ କାର୍ଯ୍ୟାଳୟରୁ ଫେରାର ହୋଇ ଯାଇ ଥିବାର ଜଣା ପଡିଛି । ତେବେ ତହସିଲଦାର ଆଜି ଫେରାର ହେବା ପାଇଁ ବ୍ୟବହାର କରି ଥିବା ଗାଡିଟି କାହାର ଓ କେଉଁ ସ୍ୱାର୍ଥ ପାଇଁ ଉକ୍ତ ବ୍ୟକ୍ତି ତହସିଲଦାରଙ୍କୁ ନିଜର ପ୍ରାଇଭେଟ ଗାଡି ଦେଲେ ତାହା ଏବେ ତଦନ୍ତ ସାପେକ୍ଷ ହୋଇ ପଡିଛି । ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିଲେ ବେତନଟୀ ତହସିଲରେ ହୋଇ ଥିବା ବହୁ ଦୁର୍ନିତୀର ଗୁମର ଖୋଲିବ ବୋଲି ବେତନଟୀ ତହସିଲରେ ଖୋଲା ଆଲୋଚନା ହେଉଛି ।