ବେତନଟୀ: ଆଜି ସନ୍ଧ୍ୟା ସମୟରେ ବୈଶିଙ୍ଗା ଥାନା ଅଧୀନ କାଠପାଳ ଠାରେ ଚଳନ୍ତା ଟ୍ରାକ୍ଟର ରୁ ଖସିଯିବା ଯୋଗୁଁ ଜନୈକ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ କାଠପାଳ ଗ୍ରାମର ବାବୁଲା ସିଂର ପୁଅ ଆକାଶ ସିଂ(୧୫) ସନ୍ଧ୍ୟା ସମୟରେ ଏକ ଟ୍ରାକ୍ଟର ଡଲା ର ପଛପଟେ ବସି ଦାରିହା ଛକ ନିକଟକୁ ଯାଉଥିବା ସମୟରେ ଡଲା ରୁ ଖସି କଂକ୍ରିଟ ରାସ୍ତା ଉପରେ ପଡିଯାଇଥିଲା। ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ସହ ବୈଶିଙ୍ଗା ପୁଲିସକୁ ମଧ୍ୟ ଖବର ଦେଇଥିଲେ।ଯୋଗାଯୋଗ ର ୧ଘଣ୍ଟା ବିତି ଯାଇଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନଥିଲା। ବୈଶିଙ୍ଗା ପୁଲିସ ସାହାଯ୍ୟରେ ଗୁରୁତର ଆହତ ଆକାଶକୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବର ଲେଖା ହେବା ବେଳକୁ ବୈଶିଙ୍ଗା ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇ ନ ଥିବା ଜଣାଯାଇଛି।