Odisha news

ବେତନଟୀକୁ ଏନଏସି ଘୋଷଣା ପାଇଁ ଏବେ ଦାବି ଯୋର : ମୟୂରଭଞ୍ଜ ପ୍ରଭାରୀ ତଥା ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ (ବବି ଭାଈ)ଙ୍କୁ ଭେଟି ବେତନଟୀକୁ ତୁରନ୍ତ ଏନଏସସି ଘୋଷଣା କରିବାକୁ ଦାବି

0

ବେତନଟୀ  : ବେତନଟୀକୁ ଏନଏସି ଘୋଷଣା ପାଇଁ ଏବେ ଦାବି ଯୋର ଧରିଛି । ଆଜି ଶାସକ ବିଜେଡି ଦଳର ମୟୂରଭଞ୍ଜ ପ୍ରଭାରୀ ତଥା ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ (ବବି ଭାଈ)ଙ୍କୁ ଭେଟି ବେତନଟୀ ଏନଏସି କ୍ରିୟାନୁଷ୍ଠାନ କମିଟୀ ଓ ବେତନଟୀର ପ୍ରମୁଖ ବିଜେଡି ନେତା ମାନେ ବେତନଟୀକୁ ତୁରନ୍ତ ଏନଏସସି ଘୋଷଣା କରିବାକୁ ଦାବି କରିଛନ୍ତି । ବଡସାହି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତିଙ୍କ ନେତୃତ୍ୱରେ ବେତନଟୀ ଏନଏସି କ୍ରିୟାନୁଷ୍ଠାନ କମିଟୀର ସାଧାରଣ ସମ୍ପାଦକ ତଥା ବିଜେଡି ଯୁବ ନେତା ପ୍ରିୟବ୍ରତ ପଟ୍ଟନାୟକ, ସମାଜସେବୀ ଅଜୟ କୁମାର ଓଝା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯାମିନୀକାନ୍ତ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଇଂ. ସୁଶାନ୍ତ କୁମାର ବଳା, ଅଭିନ୍ନ ସୁନ୍ଦର ପାତ୍ର ପ୍ରମୁଖ ପ୍ରଣବଙ୍କୁ ଭେଟି ବେତନଟୀକୁ ଏନଏସି ଘୋଷଣା ପାଇଁ ଦାବି କରିଛନ୍ତି ।

ବେତନଟୀକୁ ଏନଏସସି ଘୋଷଣା ପାଇଁ ସବୁ ପ୍ରକାର ଭିତ୍ତିଭୂମି ରହିଛି ଓ ଏହାର ସର୍ଭେ ସମୟରେ ଏହା ଏନଏସି ହେବାର ଯୋଗ୍ୟତା ଅର୍ଜନ କରି ସାରିଛି ବୋଲି ବେତନଟୀ ବିଡିଓ ଓ ତହସିଲଦାରଙ୍କ ଯୁଗ୍ମ ରିପୋର୍ଟରେ ଦର୍ଶା ଯାଇଛି । ଜନ ସଂଖ୍ୟାକୁ ଯଦି ଦେଖା ଯାଏ ତେବେ ଗୋଟିଏ ଏନଏସି ପାଇଁ ସର୍ଭେ ଅଞ୍ଚଳର ଲୋକ ସଂଖ୍ୟା ୧୦ ହଜାର ହେବାର ଆବଶ୍ୟକତା ରହିଛି । ତେବେ ୨୦୧୧ ଜନ ଗଣନା ଅନୁଯାୟୀ ସର୍ଭେ ଅଞ୍ଚଳର ଲୋକ ସଂଖ୍ୟା ୧୭ ହଜାର ବୋଲି କୁହା ଯାଉ ଥିବା ବେଳେ ୨୦୨୦ ସୁଦ୍ଧା ଏହି ଜନସଂଖ୍ୟା ୨୦ ହଜାର ଟପିଲାଣି ବୋଲି ସୂଚନା ମିଳିଛି । ପ୍ରଣବଙ୍କୁ ଭେଟି ଥିବା କମିଟୀର ନେତୃବୃନ୍ଦ ଓ ବିଜେଡି କର୍ମକର୍ତ୍ତା ମାନେ ଏହା ଏହି ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଦାବି ଓ ଏହାର ଘୋଷଣାକୁ ନେଇ ଲୋକଙ୍କ ସମ୍ବେଦନ ଲାଗି ରହିଛି ବୋଲି ତାଙ୍କୁ ସୂଚନା ପ୍ରଦାନ କରି ଥିଲେ ।

ମୟୂରଭଞ୍ଜ ପ୍ରଭାରୀ ପ୍ରଣବପ୍ରକାଶ ଦାସ ଜଣେ ଦକ୍ଷ ସଂଗଠକ ଓ ବିଶେଷ କରି ସେ ଦାୟୀତ୍ୱ ବହନ କରୁ ଥିବା ଅଞ୍ଚଳର ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱ ପ୍ରଦାନ କରି ଥାଆନ୍ତି । ତେଣୁ କ୍ରିୟାନୁଷ୍ଠାନ କମିଟୀ ଓ ବିଜେଡି ନେତୃବୃନ୍ଦଙ୍କ ଦାବି ସଫଳ ହେବ ବୋଲି ଜନ ସାଧାରଣରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟ ପକ୍ଷରେ ବେତନଟୀ ଏନଏସି ହେଲେ ବେତନଟୀ ଏହି ଅଞ୍ଚଳ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ, ପ୍ରତ୍ୟେକ ଘରକୁ ପିଇବା ପାଣି, ପରିମଳ, ସଫାଇ ବ୍ୟବସ୍ଥାର ସୁଯୋଗ ମିଳିବ, ରାସ୍ତାଘାଟରେ ଉନ୍ନତି ହେବ, ଷ୍ଟ୍ରିଟ ଲାଇଟ ପାଖରୁ ସମସ୍ତ ମୌଳିକ ସେବା ତ୍ୱରାନ୍ୱୀତ ହେବ । ସବୁଠାରୁ ଖୁସିର ବିଷୟ ଯେ ବେତନଟୀ ଓ ସଠିଲୋ ପଞ୍ଚାୟତର ୯ଟି ଗ୍ରାମର ଅନ୍ୟୁନ ୨୦ ହଜାର ଜନସାଧାରଣଙ୍କୁ ସହରୀ ନାଗରିକର ମାନ୍ୟତା ମିଳିବ । ପୂର୍ବରୁ ହୋଇ ଥିବା ସର୍ଭେ ମୁତାବକ ଏସଏସି ଅଞ୍ଚଳର ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଅଣକୃଷି ଆୟ ଉପରେ ନିର୍ଭରଶୀଳ ଓ ଏହି ଅଞ୍ଚଳରୁ ପର୍ଯ୍ୟାପ୍ତ ରାଜସ୍ୱ ମଧ୍ୟ ଆସୁଛି । ବେତନଟୀ ଏନଏସି କ୍ରିୟାନୁଷ୍ଠାନ କମିଟୀ ଓ ବିଜେଡି ନେତୃମଣ୍ଡଳୀର ଏହି ଦାବିକୁ ସବୁ ସାମାଜିକ ସଂଗଠନ, ମହିଳା ସଂଗଠନ ଓ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାଗତଃ କରିଛନ୍ତି ।

Leave A Reply