ବେତନଟୀ/ବୈଶିଙ୍ଗା : ସାରା ରାଜ୍ୟରେ ସରକାର ମଦବିକ୍ରୀ ଉପରେ ଅଙ୍କୁଶ ଲଗାଇବା ପରିବର୍ତ୍ତେ ମଦ ପିଉଥିବା ଲୋକଙ୍କ ଉପରେ ଚଢାଉ କରି ବାହାବା ନେବା କେତେ ଦୂର ସମୀଚିନ ତାହା ଆଲୋଚ୍ୟ ବିଷୟ ହୋଇପଡିଛି। ସରକାରଙ୍କ ଅବକାରୀ ବିଭାଗ ନାମକୁ ମାତ୍ର କାର୍ଯ୍ୟ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ପ୍ରକୃତ କାରଣ ଏହି ବିଭାଗର ଜ୍ଞାତସାରରେ ଗାଁ ଗଳି ସବୁଆଡ଼େ ଦେଶୀମଦ ଠାରୁ ବିଦେଶୀ ମଦ , ଗଞ୍ଜେଇ,ଧଳାଜହର ସବୁ କିଛି ବିନା ବାଧାରେ ଚାଲିଛି। ଏହା ଦ୍ୱାରା ବୈଶିଙ୍ଗା ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲୁଥିବାର ଜଣା ଯାଇଛି। ମଝିରେ ମଝିରେ ନିଜର ପାରିବା ପଣିଆ ଦେଖାଇବା ପାଇଁ କିଛି ମଦ ସିଜ କରିବା ସହିତ ଗୋଟେ ଦୁଇଟା ମାମଲା ରୁଜୁ କରି ଦେଲେ ନିଜର ଦାୟିତ୍ଵ ସରିଗଲା ବୋଲି ଭାବି ଚୁପ୍ ଚାପ ବସିଗଲେ। ମାତ୍ର ମଦ ଦୋକାନରୁ ଯେଉଁ ଲୋକଟି ମଦକିଣୁଛି ସେ ତାକୁ ପିଇବା ପାଇଁ ଯଦି କେଉଁ ଦୋକାନ ବା ଗଳି କନ୍ଦିରେ ପିଇବାକୁ ଚେଷ୍ଟା କରିଲା ସେତେବେଳକୁ ଅବକାରୀ ବିଭାଗର ବା ପୋଲିସର ନଜର ପଡିଯାଉଛି। ବୈଶିଙ୍ଗା ଥାନା ଅଧିନ ପଣସିଆ ଏବଂ ମଛପଦା ଛକରେ ଲକ୍ ଡାଉନ୍ ସମୟରେ ଯେପରି ଖୁଲମ୍ ଖୋଲା ମଦ ବିକ୍ରୀ ଚାଲିଥିଲା ଏବେ ତାହା ପୂର୍ବ ଅପେକ୍ଷା ବହୁ ଅଧିକ ପରିମାଣରେ ବିଦେଶୀ ଓ ଦେଶୀମଦ ବିକ୍ରୀ ଚାଲିଛି। ଏଥିପାଇଁ ବହୁବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଅବକାରୀ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଅତ୍ୟନ୍ତ ପରିତାପର ବିଷୟ ହୋଇପଡିଛି। ବିନା ଭୟରେ ସେମାନେ ବିକ୍ରୀ କରୁଥିଲାବେଳେ ତାଙ୍କର ତଳୁ ଉପର ପର୍ଯ୍ୟନ୍ତ ହାତ ରହିଛି ବୋଲି ଖୁଲମ୍ ଖୁଲା କହୁଛନ୍ତି। ତେବେ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଦାୟିତ୍ଵ ବହନ କରିବାର ଏକ ବର୍ଷ ଭିତରେ ପଣସିଆ,କଳମା, ମାଣତ୍ରୀ ଅଞ୍ଚଳରେ ସିସି କ୍ୟାମେରା ଲଗାଇ ଦେବା ପରେ କିଛି ମାତ୍ରାରେ ମଦ ପିଇବା ଓ ବିକ୍ରୀ କରିବା ଉପରେ କଟକଣା ଜାରି କରାଯାଇ ପାରିଛି। ମାତ୍ର ଯେ ପର୍ଯ୍ୟନ୍ତ ସାଧାରଣ ଜନତା ସଚେତନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଏହି ମଦରୂପକ ବ୍ୟାଧି ବଢି ବଢି ଚାଲିଥିବ ବୋଲି ବୁଦ୍ଧିଜୀବିଙ୍କ ମହଲରେ ପ୍ରକାଶ ପାଇଛି।
