ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ବିଶ୍ଵ ପରିବେଶ ଦିବସ ପାଳିତ ଏବଂ ସଚେତନତା ରାଲି ଅନୁଷ୍ଠିତ
ବେତନଟୀ/ବୈଶିଙ୍ଗା: — ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରଶାସିକା ବ୍ରହ୍ମା କୁମାରୀ ସାବିତ୍ରୀ ଭଉଣୀଙ୍କ ନେତୃତ୍ଵରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଅଛି। ଅନରୂପ ଭାବେ ବେତନଟୀ ସେବା କେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ବନିତା ଭଉଣୀ ସଭାପତିତ୍ଵ କରିଥିବା ବେଳେ ବେତନଟୀ ପଞ୍ଚାୟତର ସରପଞ୍ଚ ପାନମଣୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଆଶ୍ରମର ସମସ୍ତ ଭାଇ, ଭଉଣୀ ଓ ଗୁରୁକୁଳ ବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀଙ୍କ ଉପସ୍ଥିତିରେ ସମସ୍ତ ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରି ଏହି ଦିବସ ଏବଂ ବ୍ରହ୍ମା କୁମାରୀଜର ବିଶ୍ଵ ପରିବେଶ ଦିବସକୁ ଆଧାର କରି ପ୍ରସ୍ତୁତ ହୋଇଥିବା “କଳ୍ପତରୁ” କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।ବୃକ୍ଷ ଏବଂ ପରିବେଶର ବିଶେଷତା ବିଶେଷ ଭାବେ ଆଲୋଚନା କରାଯିବା ସହ “ମେ ପ୍ରକୃତି ଜିତ ଆତ୍ମା ହୁଁ”ର ଅଭ୍ୟାସ ମଧ୍ୟ କରାଯାଇଥିଲା। ବୈଠକ ସରିବା ପରେ ଆଶ୍ରମ ପରିସରରେ ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା। ଆୟୋଜିତ ସଚେତନତା ରାଲିକୁ ସାବିତ୍ରୀ ଭଉଣୀ, ବନିତା ଭଉଣୀ ଏବଂ ମୂଖ୍ୟ ଅତିଥି ପାନମଣୀ ମୁର୍ମୁ ଶିବ ଝଣ୍ଡା ଦେଖାଇ ଶୁଭାରମ୍ଭ କରିବା ସହ ଆଶ୍ରମ ପରିସରରୁ ବାହାରି ବେତନଟୀ ବଜାର ପରିଭ୍ରମଣ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ କୃପାସିନ୍ଧୁ ଭାଇ , ଉଗବାନ ଭାଇ, ପ୍ରଶାନ୍ତ ଭାଇ, ନିତ୍ୟାନନ୍ଦ ଭାଇ, ଶରତ ଭାଇ, ସରୋଜ ଭାଇ, ପଙ୍କଜ ଭାଇ ପ୍ରମୁଖ ଭାବରେ ସହଯୋଗ କରିଥିଲେ। ପରିଶେଷରେ ବ୍ରହ୍ମା କୁମାର ଭଗବାନ ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
