ବ୍ରହ୍ମପୁର,୨୫ା୯: ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ା ସେହିକ୍ରମରେ ଏମକେସିଜି ମେଡିକାଲରେ କାର୍ଯ୍ୟରତ ଶହ ଶହ ନର୍ସିଂ ଅଫିସର କାର୍ଯ୍ୟବନ୍ଦ କରି ଆଉଟଡୋର ସମ୍ମୁଖରେ ଧାରଣାରେ ବସିଛନ୍ତି ା ଫଳରେ ଏମକେସିଜି ମେଡିକାଲରେ ରୋଗୀସେବା ବ୍ୟାହତ ହୋଇଛି ା ବିଭିନ୍ନ ୱାର୍ଡରେ ଚିକିତ୍ସିତ ରୋଗୀଙ୍କ ସମେତ ଆଉଟଡୋରକୁ ଆସିଥିବା ରୋଗୀଙ୍କୁ ଠିକ ଭାବେ ସେବା ମିଳି ପାରିନାହିଁ ା ପ୍ରକାଶଥାଉକି, ଯୋଗ୍ୟ ନର୍ସିଂ ଅଫିସରଙ୍କୁ ସିନିୟର ନର୍ସିଂ ଅଫିସର ପଦରେ ପଦୋନ୍ନତି, ୨୦୧୩ ନଭେମ୍ବର ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମିଶାଇ ପଦୋନ୍ନତି ଓ ଆର୍ଥିକ ସୁବିଧା ପ୍ରଦାନ, ଆୟୁଷମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀକୁ ଫେରାଇ ଆଣିବା, କଟକଟ ଆଚାର୍ଯ୍ୟ ହରିହର ମେଡିକାଲରେ କାର୍ଯ୍ୟରତ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ କ୍ୟାଡରରେ ଅନ୍ତର୍ଭୁକ୍ତ, ଆଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ବନ୍ଦ ଭଳି ୧୦ ଦଫା ଦାବିରେ ୨୫ ଓ ୨୬ ତାରିଖ ଦୁଇ ଦିନ ପାଇଁ ସଂଘ ପକ୍ଷରୁ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି ା ତେବେ ନର୍ସିଂ ଅଫିସରମାନେ ଜରୁରୀକାଳୀନ ସେବା ଯଥା, କାଜୁଆଲିଟି, ଜରୁରୀକାଳୀନ ଓଟି, ଆଇସିୟୁ ଏବଂ ଲେବର ରୁମରେ କାର୍ଯ୍ୟ କରୁଥିଲେ ା ହେଲେ ବିଭିନ୍ନ ବିଭାଗର ମହିଳା ଓ ପୁରୁଷ ୱାର୍ଡ, ଆଉଟଡୋରରେ ନର୍ସିଂ ଅଫିସରଙ୍କୁ ଦେଖିବାକୁ ମିଳିନଥିଲା ା ଫଳରେ ରୋଗୀଙ୍କୁ ବିଭିନ୍ନ ପ୍ରକାର ଚିକିତ୍ସା ସେବା ଯୋଗାଇବା ସମ୍ଭବ ହୋଇନଥିଲା ା ଏଭଳି ଅବ୍ୟବସ୍ଥା ଯୋଗୁ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସମସ୍ୟାରେ ପଡିଥିଲେ ା ଏପଟେ ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ୨୭ ତାରିଖ ଠାରୁ ସମସ୍ତ ଜରୁରୀକାଳୀନ ସେବା ମଧ୍ୟ ବନ୍ଦ କରାଯିବ ବୋଲି ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ା ତେବେ ନର୍ସିଂ ଅଫିସରଙ୍କ ଅଭାବ ଦୂର କରିବା ଓ ରୋଗୀ ସେବା ସ୍ବାଭାବିକ କରିବା ଲକ୍ଷ୍ୟରେ ଏମକେସିଜିକୁ ତାଲିମ ନେବା ପାଇଁ ଆସୁଥିବା ଆଖାପାଖର ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ରୋଗୀ ସେବାରେ ନିୟୋଜିତ କରିବାକୁ ଯୋଜନା ହୋଇଛି
