ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁର ଦ୍ବାରା ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ଗୋସାଣିଆନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସଚେତନତା ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବଶ୍ରୀ ସାହୁ ,ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଟି.କେ ରେଡ୍ଡୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟା ତଥା ଆଇନଜୀବୀ ଡ଼ଃ ମିନାକ୍ଷୀ ଦେବୀ,ଉତ୍କଳ ବାଳାଶ୍ରମ ସୁପେରିଣ୍ଟେଣ୍ଡେଣ୍ଟଙ୍କ ସମେତ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅନେକ ପାରାଲିଗାଲ ସ୍ବେଛାସେବୀ ଉପସ୍ଥିତ ରହି ଉକ୍ତ ବାଳାଶ୍ରମର ସମସ୍ତ ପିଲାମାନଙ୍କୁ ସଚେତନ କରାଇଥିଲେ। ବିଶ୍ଵର ଭବିଷ୍ୟତ ପାଇଁ ଶିଶୁର ବର୍ତ୍ତମାନକୁ ଶିକ୍ଷା, ସଂସ୍କାରରେ ସୁନିଶ୍ଚିତ ଏବଂ ସୁରକ୍ଷିତ କରିବା ହିଁ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନର ମହାନ ଲକ୍ଷ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାହୁ କହିଥିଲେ । ସମଗ୍ର ଦେଶରେ ଯେକୌଣସି ଶିଶୁ ଶ୍ରମିକ ବିରୋଦ୍ଧରେ ଅଭିଯୋଗ ଆଣିବା ପାଇଁ “ପେନସିଲ” ନାମକ ଏକ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ ବୋଲି ଶ୍ରୀ ଟି.କେ ରେଡ୍ଡୀ କହିଥିଲେ l ସେହିପରି ଜଣେ ଶିଶୁର ବିକାଶ ଦିଗରେ ଅଗ୍ରଗତୀ କିପରି ହେବ ଏବଂ ସେ ଯେମିତି ଜଣେ ସୁନାଗରିକ ଭାବେ ବଢ଼ିପାରିବ ସେଦିଗରେ ଆଲୋକପାତ କରିଥିଲେ ଶ୍ରୀମତି ମିନାକ୍ଷୀ ଦେବୀ l ଉତ୍କଳ ବାଳାଶ୍ରମ ସୁପେରିଣ୍ଟେଣ୍ଡେଣ୍ଟ, ସବୁ ପିଲାମାନେ ଯେପରି ଉତ୍ତମ ଶିକ୍ଷା ଲାଭ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ସେଥିପ୍ରତି ପିଲାମାନଙ୍କୁ ସଚେତନ କରିଥିଲେ l ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପି.ଏଲ.ଭି ଜ୍ୟୋସ୍ନା କୁମାରୀ ସାହୁ ବାଳାଶ୍ରମ ପିଲାମାନଙ୍କୁ ଶିଶୁ ଶ୍ରମିକ ନିରୋଧ ଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳାଶ୍ରମ ର ସମସ୍ତ ପିଲାମାନଙ୍କ ସହ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ l