ବ୍ରହ୍ମପୁର ତା ୧୨/୦୬ -ପ୍ରତ୍ୟେକ ଦୁଇବର୍ଷକୁ ଥରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ୪୦ ଆଙ୍କୋଲିରେ ମାଁ କନକ ଦୁର୍ଗା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ ମାଁ ଙ୍କ ଯାତ୍ରା ତା ୨୯/୦୫/୨୪ ରିଖ ଠାରୁ ତା ୧୨/୦୬/୨୪ରିଖ ବୁଧବାର ପର୍ଯ୍ୟନ୍ତ ଚାଲୁରହିଥିଲା। ଦୀର୍ଘ ୧୫ ଦିନ ବ୍ୟାପି ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିଲା। ପ୍ରତି ସାହିରେ କଳାକୁଞ୍ଜ ସାଙ୍ଗକୁ ବିଭିନ୍ନ ମାନସିକଧାରି ବେଶ ମଧ୍ୟ ଦେଖିବାକୁ ମିଳିଥିଲା। ଅସ୍ଥାୟୀ ପୀଠରେ ପ୍ରତିଦିନ ମାନସିକଧାରୀ ଦାତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦୮ସନ୍ଧ୍ୟା ଆଳତୀ କରାଯାଉଥିଲା। ସନ୍ଧ୍ୟା ଆଳତୀ ସମୟରେ ବହୁ ଶ୍ରଦ୍ଧାଳୁଙ୍କ ଆଳତୀ ଦେଖିବାକୁ ଭିଡ ଜମୁଥିଲା। ସନ୍ଧ୍ୟା ଆଳତୀ ପରେ ମାଁ ଙ୍କର ଘଟ ବାହାରି ଅଞ୍ଚଳର ବିଭିନ୍ନ ସାହି ପରିକ୍ରମା କରୁଥିଲେ। ଏହି ସମୟରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ଦେଖାଯାଉଥିଲା। ପ୍ରତିଦିନ ଦୁଇବେଳା ଅନ୍ନ ପ୍ରସାଦ ଭକ୍ତଙ୍କୁ ପ୍ରଦାନ କରାଯାଉଥିଲା। ଜାତୀୟ ରାଜପଥ ୧୬ ପାର୍ଶ୍ୱ ରାସ୍ତା ପଡ଼ିଆରେ ଯାତ୍ରାକୁ ଉତ୍ସବ ମୁଖର କରିବାକୁ ମୀନା ବଜାର ଓ ରାମଦୋଳିର ଆୟୋଜନ କରାଯାଇଥିଲା। ମୀନା ବଜାରରେ ପ୍ରବଳ ଭିଡ ଜମୁଥିଲା। ତା ୧୨/୦୬/୨୪ ବୁଧବାର ମାଁ ଙ୍କର ଶେଷ ୧୦୮ସନ୍ଧ୍ୟା ଆଳତୀ ୭ଟାରେ ହୋଇଥିଲା। ପରେ ମଧ୍ୟ ରାତ୍ର ୧୨ଘଣ୍ଟିକା ସମୟରେ ମାଁ ଙ୍କ ଘଟ ଅସ୍ଥାୟୀ ପିଠରୁ ଘଣ୍ଟଥଳ,ସିଂଘ ବାଜା, ବାଘ ଷଣ୍ଢ ନାଚ, ଚଇତି ଘୋଡା ନାଚ, ଆତସବାଜି ବିରାଟ ପଟୁଆରରେ ବାହାରି ଅଞ୍ଚଳରେ ପରିକ୍ରମଣ କରି, ବାପଘର ଭାର ନେଇ ସକାଳ ୬ଘଣ୍ଟିକା ସମୟରେ ସ୍ଥାୟୀ ପୀଠରେ ପହଞ୍ଚିଥିଲେ। ସାଥିରେ ମାଁ ଙ୍କୁ ବିଦାୟ ଦେବା ନିମନ୍ତେ ହଜାର ହଜାର ମହିଳା ଶ୍ରଦ୍ଧାଳୁ ସାଥିରେ ଯାଇଥିଲେ।
