ବ୍ରହ୍ମପୁର, ୨୭/୧୨-ବ୍ରହ୍ମପୁର ଉପକଣ୍ଠ ବୋରିଗାଁ ପଞ୍ଚାୟତ ବୀରକୃଷ୍ଣଚନ୍ଦ୍ରପୁରରେ ବାବୁଲା ସାହୁ ଓ ତାଙ୍କ ଭାଇ ବୁଲୁ ସାହୁଙ୍କୁ ହତ୍ୟା ଉଦ୍ୟମସହ ବୋମା ମାଡ଼ ଘଟଣାରେ ଆଜି ୭ଜଣଙ୍କୁ ଗିରଫ କରିଛି ନିମଖଣ୍ଡି ଥାନା ପୁଲିସ । ସେମାନଙ୍କ ଠାରୁ ଜବତ ହୋଇଛି ଖଣ୍ଡା, ବୋମା ପ୍ରସ୍ତୁତ ସାମଗ୍ରୀ
ଏବଂ ୨ କିଲୋ ଗନ୍ ପାଉଡର। ବୀରକୃଷ୍ଣଚନ୍ଦ୍ରପୁର ଗ୍ରାମର କେ.ସୁରେଶ ଦାସ, ଅମ୍ବିକା ନଗରର ଏନ୍.କିରଣ କୁମାର ଓରଫ ରାଣା (ଆଇନ ଛାତ୍ର), ରାଧାମାଧବ ସାହୁ (୬୬), ବୈଷ୍ଣବ ସାହୁ (୫୯), ଅଜିତ କୁମାର ସାହୁ (୨୬), ବି.ବାସୁ ରେଡ୍ଡି (୪୬), ବୌଳଝୋଳିର ବିଦ୍ୟା ଦାସ(୪୨)ଙ୍କୁ
ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ମୁଖ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ ପ୍ରକାଶ କରିଛି।
ଏସ୍ପିଙ୍କ ସୂଚନା ପ୍ରକାରେ ଫେରାର ଥିବା ଅଭିଯୁକ୍ତ ଏବଂ ବାବୁଲା ସାହୁଙ୍କ ଭିତରେ ପୂର୍ବଶତ୍ରୁତା ଲାଗି ରହିଥିଲା। ଏହି କାରଣକୁ କେନ୍ଦ୍ର କରି ଗତ ୨୬ ତାରିଖ ରାତି ୮ଟା୩୦ରେ ବାବୁଲା ଓ ତାଙ୍କ ଭାଇ ବୁଲୁଙ୍କ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିଲା। ବୁଲୁ ଦୌଡ଼ି ପଳାଇଥିବା
ବେଳେ ବାବୁଲାଙ୍କୁ ଅଭିଯୁକ୍ତ ମାନେ ହାଣିଥିଲେ ଏବଂ ବୋମା ମାଡ଼ କରିଥିଲେ । ବାବୁଲା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଭୁବନେଶ୍ବର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ବାବୁଲାଙ୍କ ଅଭିଯୋଗ ପ୍ରକାରେ ଗୋଟିଏ
ଏବଂ ବୁଲୁ ସାହୁଙ୍କ ସ୍ତ୍ରୀ ରଶ୍ମିତା ସାହୁଙ୍କ ଅଭିଯୋଗ ପ୍ରକାରେ ଦୁଇଟି ମାମଲା ରୁଜୁ ହୋଇଛି। ଏହି ମାମଲାରେ ମୁଖ୍ୟ ସହଯୋଗୀ କୁହାଯାଉଥିବା କେ.ସୁରେଶ ଦାସ ଓ ଏମ୍.କିରଣ କୁମାରଙ୍କୁ ପ୍ରଥମେ ପୁଲିସ ଗିରଫ କରିଥିଲା। ଏନ୍.କିରଣ ବର୍ତ୍ତମାନ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଆଇନ ଛାତ୍ର ଥିବା ପୁଲିସ ପ୍ରକାଶ କରିଛି। ଗଣ୍ଡଗୋଳ ପାଇଁ ଉସୁକାଉଥିବା ରାଧାମାଧମ, ବୈଷ୍ଣବ ଓ ଅଜିତଙ୍କୁ ପୁଲିସ ଗିରଫ କରି ପଚରାଉଚରା କରିଥିଲା। ସେମାନଙ୍କ ଜେରା ପରେ ବି.ବାସୁ ରେଡ୍ଡି ବୋମା ଯୋଗାଇଥିବା ବେଳେ ବିଦ୍ୟା ଦାସ ବୋମା ଭିଡ଼ିଥିବା ଜଣାପଡିଥିଲା। ଏହି ଦୁଇଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।