ଵ୍ରହ୍ମପୁର ୩୦/୧୧- ସଦର ଥାନା ପୋଲିସ ଗତକାଲି ବିଳମ୍ବିତ ରାତ୍ରରେ ଏକ ଡକାୟତି ଯୋଜନା ପଣ୍ଡ କରିଛି। ଲାଠୀ ନିକଟରେ ଥିବା ଏକ ମଣ୍ଡପରେ କିଛି ଦୁର୍ବୃତ୍ତ ଏକତ୍ରିତ ହୋଇଥିବା ନେଇ ପୋଲିସ ଟିମକୁ ଖବର ମିଳିଥିଲା। ସେଠାରେ ଚଢଉ କରି ପୋଲିସ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିଛି। ସେମାନେ ହେଲେ ପୁରୁଣାବ୍ରହ୍ମପୁର ନିକଟସ୍ଥ ଝରଣାନଗରର ଦୁର୍ଦ୍ଦାନ୍ତ ଅପରାଧୀ ଜଳ ଦାସଙ୍କ ଭାଇ ଶଙ୍କର ଦାସ(୩୪) , ଲାଠୀର ରଞ୍ଜିତ ସାହୁ ଓରଫ ସନୁ (୩୧)ଓ ଲାଠୀ ଗୌଡ଼ ସାହିର ସାଇ କିରଣ ଗୌଡ଼(୨୧)। ଅନ୍ୟପଟେ ପୋଲିସ ଉପରକୁ ବୋମା ଫିଙ୍ଗି ଅନ୍ଧାରର ସୁଯୋଗ ନେଇ ଅନ୍ୟ ତିନିଜଣ ଚମ୍ପଟ ମାରିଥିବା ପୋଲିସ ସୂଚନା ଦେଇଛି। ଅପରାଧୀ ମାନେ ଵ୍ରହ୍ମପୁରରୁ ଲାଠୀ ରାସ୍ତା ଦେଇ ଅନ୍ୟତ୍ର ଗ୍ରାମକୁ ରାତ୍ରରେ ଯାଉଥିବା ଯାତ୍ରୀଙ୍କୁ ଡକାୟତି କରିବା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି। ପୋଲିସ ଘଟଣା ସ୍ଥଳରୁ , ଦୁଇଟି ଖଣ୍ଡା, ଦୁଇଟି ବୋମା , ଦୁଇଟି ଲୁହା ଛଡ , ଦୁଇଟି ଟର୍ଚ୍ଚ ଲାଇଟ ଓ କିଛି ମଦ ବୋତଲ ଜବତ କରିଛି। ମାମଲା ନମ୍ବର ୫୮୦/ ୨୨ ରେ ଉକ୍ତ ୩ ଡ଼କାୟତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। କୋର୍ଟ ନିର୍ଦେଶରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ପୋଲିସ କହିଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।