Odisha news

ସ୍ଥାୟୀ ରୋଜଗାର ପନ୍ଥା ଯୋଗାଇ ଗ୍ରାମୀଣ ଲୋକ ଓ ମହିଳାଙ୍କ ଜୀବିକାକୁ ସୁଦୃଢ଼ କରିବାକୁ ସରକାର ପ୍ରତିବଦ୍ଧ : ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

0

ଭୁବନେଶ୍ୱର(Suvendra pattanaik) : ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ହ୍ରାସ କରିବା ପାଇଁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଏସବିଏମ୍ ଆଡ଼ଭାଇଜର ନାମକ ସଂସ୍ଥା ଓଡ଼ିଶାରେ ଦୁଗ୍ଧ ବିକାଶ ମାଧ୍ୟମରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ହ୍ରାସ ନେଇ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରଦର୍ଶିତ କରିଥିଲେ । ଏହି ବୈଠକରେ ଶ୍ରମ, କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଦାଦନ ଶ୍ରମିକ ବିସ୍ଥାପନ ନିମନ୍ତେ ଗଢ଼ା ଯାଇଥିବା ଟାସ୍କଫୋର୍ସର ଚେୟାରମ୍ୟାନ ଅଛନ୍ତି । ବର୍ତ୍ତମାନ ସରକାର ଦାଦନ ଶ୍ରମିକ ଜନିତ ସମସ୍ୟାକୁ ଗୁରୁତ୍ୱର ସହ ନେଉଛନ୍ତି । ଦାଦନ ପ୍ରବଣ ପ୍ରତ୍ୟେକଟି ଜିଲ୍ଲାର କାରଣ ଭିନ୍ନ ଭିନ୍ନ ଅଟେ । ଏହାକୁ ବିଶ୍ଳେଷଣ କରି ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଗୋପାଳନ କରି ସେଥିରୁ ଦୁଗ୍ଧ ଏବଂ ଅନ୍ୟାନ୍ୟ ଦୁଗ୍ଧ ଜାତୀୟ ଉତ୍ପାଦ ଉତ୍ପାଦନ କରି ଗ୍ରାମୀଣ ଲୋକଙ୍କ ଜୀବିକାକୁ ସୁଦୃଢ଼ କରିହେବ । ବିଶେଷକରି ମହିଳାଙ୍କୁ ସ୍ୱାବଲମ୍ବୀ କଲେ ଓ ସେମାନଙ୍କୁ ବର୍ଷ ତମାମ ରୋଜଗାରର ଉତ୍ସ ଯୋଗାଇପାରିଲେ ଦାଦନ ଶ୍ରମିକ ସମସ୍ୟା ଅନେକାଂଶରେ ହ୍ରାସ ପାଇବ ବୋଲି ବୈଠକରେ ନିଷ୍କର୍ଷ ବାହାର କରାଯାଇଥିଲା ।

ସରକାରୀ ଯୋଜନାର ପ୍ରଣୟନ ସହିତ ବେସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଏସବିଏମ୍ ଆଡ଼ଭାଇଜର କମ୍ପାନୀର ପ୍ରତିନିଧି ଅନୁରୋଧ କରିଥିଲେ ।
ବୈଠକରେ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଶ୍ରୀମତୀ ଚିତ୍ରା ଅରୁମୁଗମ, ଶ୍ରୀ ସୁରେଶ କୁମାର ବଶିଷ୍ଠ, ଶ୍ରୀ ଏସ ଏନ ଗିରୀଶ, କୃଷି ବିଭାଗ, ଶ୍ରମ ବିଭାଗ, ମତ୍ସ୍ୟ ଓ ପ୍ରାଣିସମ୍ପଦ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply