Odisha news

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର ୨୫ ସେପ୍ଟେମ୍ବର ୨୦୨୬ : ରାଷ୍ଟ୍ରବାଦୀ ଜନନାୟକ, ଆଧୁନିକ ଭାରତର ଅନନ୍ୟ ଦାର୍ଶନିକ ତଥା ସାଂସ୍କୃତିକ ରାଷ୍ଟ୍ରବାଦର ଅଗ୍ରଣୀ ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଦର୍ଶ, ‘ଏକାତ୍ମ ମାନବବାଦ’ ଓ ‘ଅନ୍ତ୍ୟୋଦୟ’ ବିଚାରଧାରା ହିଁ ଶାସନ ବ୍ୟବସ୍ଥାର ମୂଳ ଆଧାର। ସମାଜର ସବା ଶେଷ ପାହାଚରେ ଠିଆ ହୋଇଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚାଇବା ଏବଂ ଓଡ଼ିଶାକୁ ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ସ୍ୱାଭିମାନୀ ରାଜ୍ୟ ଭାବେ ଗଢ଼ିତୋଳିବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲଜୀ ଭାରତୀୟ ରାଜନୈତିକ ଦର୍ଶନରେ ‘ଭାରତୀୟତା’ର ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିଲେ। ସେ ପାଶ୍ଚାତ୍ୟ କ୍ୟାପିଟାଲିଜିମ୍, ସୋସିଆଲିଜିମ୍ କିମ୍ବା କମ୍ୟୁନିଜିମ୍ ପରି ଧାରଣାକୁ ପ୍ରତ୍ୟାଖ୍ୟାନ କରି ଭାରତ ପାଇଁ ଏକ ‘ସ୍ୱଦେଶୀ ଇଜିମ୍’ର ସୁତ୍ର ଦେଇଥିଲେ। ଏହି ସୁତ୍ର ହେଉଛି ‘ଏକାତ୍ମ ମାନବବାଦ’ । ପାଶ୍ଚାତ୍ୟ ‘ନେସନ ଷ୍ଟେଟ’ ବ୍ୟବସ୍ଥା ଅପେକ୍ଷା ଭାରତର ସନାତନ ପରମ୍ପରା, ସଂସ୍କୃତି ଓ ସଭ୍ୟତା ବହୁ ପ୍ରାଚୀନ ବୋଲି ସେ ଦୃଢ଼ତାର ସହ ପ୍ରତିପାଦିତ କରିଥିଲେ। କେବଳ ଭୌତିକ ସୁଖ ସ୍ୱଚ୍ଛନ୍ଦ ନୁହେଁ, ବରଂ ମଣିଷର ଶରୀର, ମନ, ବୁଦ୍ଧି ଓ ଆତ୍ମାର ସନ୍ତୁଳିତ ବିକାଶ ଏବଂ ନୈତିକ କର୍ତ୍ତବ୍ୟ ପାଳନ ହିଁ ମାନବ ସମାଜର ମୁଖ୍ୟ ମାର୍ଗ ବୋଲି ପଣ୍ଡିତଜୀ ଦର୍ଶାଇଥିଲେ।

ସ୍ୱାଧୀନତା ପରେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପଣ୍ଡିତଜୀଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଅଣଦେଖା ହୋଇ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ତେବେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଦାୟିତ୍ୱ ଗ୍ରହଣ କରିବା ପରେ ‘ଅନ୍ତ୍ୟୋଦୟ’ର ସ୍ୱର ପୁନର୍ବାର ଗୁଞ୍ଜରିତ ହୋଇଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ଚାଲିଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ମାଧ୍ୟମରେ ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ, ଗରିବ କଲ୍ୟାଣ, କୌଶଳ ବିକାଶ ଓ ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ ସୀମାନ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଯାଉଛି। ଉଜ୍ଜ୍ୱଳା, ଜନଧନ, ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଭାରତ ଓ ‘ମେକ୍ ଇନ୍ ଇଣ୍ଡିଆ’ ଭଳି ଯୋଜନା ପଣ୍ଡିତଜୀଙ୍କ ଅନ୍ତ୍ୟୋଦୟ ଓ ଆତ୍ମନିର୍ଭରଶୀଳତାର ସ୍ୱପ୍ନକୁ ସାକାର କରୁଛି ବୋଲି ସେ କହିଥିଲେ।

ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ କାର୍ଯ୍ୟକାରୀ କରାଯାଉଛି। ଏଥିସହିତ କଳିଙ୍ଗନଗର, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱର, ଜଗତପୁର, କେନ୍ଦୁଝର ଓ ଦାମନଯୋଡ଼ି ଭଳି ଶିଳ୍ପାଞ୍ଚଳରେ ଶ୍ରମିକମାନଙ୍କ ପାଇଁ ‘ଶିଳ୍ପାଞ୍ଚଳରେ ଦୀନଦୟାଲ କର୍ମଚାରୀ ନିବାସ’ ଯୋଜନାରେ ଆପାର୍ଟମେଣ୍ଟ ଓ ହଷ୍ଟେଲ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ, ରାଜ୍ୟର ୮୦ ପ୍ରତିଶତ ଲୋକଙ୍କୁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ରେ ଅତିରିକ୍ତ ୫ କେଜି ବିନା ମୂଲ୍ୟରେ ଚାଉଳ ଦିଆଯାଉଛି। ମହିଳାମାନଙ୍କ ପାଇଁ ‘ସୁଭଦ୍ରା ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ସଫଳତାର ସହ ଚାଲୁରହିଛି । ଏହା ସହିତ ସ୍ନାତକ ପରେ ୧ ଲକ୍ଷ ଟଙ୍କାର ସହାୟତା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ର ପରିକଳ୍ପନା ମଧ୍ୟ କରାଯାଇଛି । ‘ସମୃଦ୍ଧ କୃଷକ ଯୋଜନା’ରେ ୧୯ ଲକ୍ଷ ଚାଷୀ ଧାନର ମୂଲ୍ୟ ବାବଦକୁ ୩୧୦୦ ଟଙ୍କା ପାଉଥିବା ବେଳେ ବିଗତ ଦୁଇ ବର୍ଷ ତିନି ମାସ ମଧ୍ୟରେ ରାଜ୍ୟକୁ ୨୨.୫୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ସେ କହିଥିଲେ।

ଜୟଦେବ ଭବନଠାରେ ଆୟୋଜିତ ଏହି ସମାରୋହରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ପଣ୍ଡିତ ଦୀନଦୟାଲଜୀଙ୍କ ଜୀବନ ଦର୍ଶନ, ସାଂସ୍କୃତିକ ଜାତୀୟତାବାଦ ଏବଂ ଗ୍ରାମୀଣ ସ୍ୱାବଲମ୍ବନ ଉପରେ ବିଶେଷ ଆଲୋକପାତ କରିଥିଲେ। ଶ୍ରୀ ସିଂ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କେବଳ ଜଣେ ରାଜନେତା ନଥିଲେ, ବରଂ ଜନସେବାକୁ ଶାସନର ମୁଖ୍ୟ ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ମହାନ ଦୂରଦ୍ରଷ୍ଟା ଥିଲେ। ତାଙ୍କ ପ୍ରଣୀତ ‘ଅନ୍ତ୍ୟୋଦୟ’ ବିଚାରଶୈଳୀ ଆଜି ପ୍ରତ୍ୟେକ ଜନପ୍ରତିନିଧି ପାଇଁ ମାର୍ଗଦର୍ଶକ। ସମାଜର ନିଷ୍ପେଷିତ ଓ ବଞ୍ଚିତ ବର୍ଗଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଏବଂ ସେମାନଙ୍କର ଆର୍ଥିକ ତଥା ସାମାଜିକ ଉନ୍ନତି ସାଧନ କରିବା ହିଁ ପ୍ରକୃତ ରାଷ୍ଟ୍ରନିର୍ମାଣ।

ଏହି କାର୍ଯ୍ୟକ୍ରମରେ ସ୍ତମ୍ଭକାର , ଲେଖକ ତଥା ଗବେଷକ ଡ. ଶିବ ଶକ୍ତି ନାଥ ବକ୍ସି ସଭାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ‘ଏକାତ୍ମ ମାନବବାଦ’ ଓ ‘ଅନ୍ତ୍ୟୋଦୟ’ ବିଚାରଧାରାକୁ ଆଧୁନିକ ରାଷ୍ଟ୍ରନିର୍ମାଣ ତଥା ସାମାଜିକ କଲ୍ୟାଣର ଶ୍ରେଷ୍ଠ ମାର୍ଗ ଭାବେ ବର୍ଣ୍ଣନା କରିଥିଲେ। ଏଥିସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ଅନେକ ବିଶିଷ୍ଟ ଅତିଥି, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Nalco
Leave A Reply