ଅଭିଯାନର ପ୍ରଥମ ଦୁଇ ଦିନ ୧୯ ଓ ୨୦ ସେପ୍ଟେମ୍ବରରେ, ସ୍ୱଚ୍ଛତା ଲକ୍ଷ୍ୟ କେନ୍ଦ୍ର ଏବଂ ଆବର୍ଜନା ଜମା ହେଉଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକର ରୂପାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। କଟକ, ପୁରୀ, ଯାଜପୁର କେନ୍ଦୁଝର ରୋଡ୍ , ବାଲୁଗାଁ ସମେତ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଷ୍ଟେସନର ପ୍ରବେଶପଥ, ରେଳଧାରଣା, ୟାର୍ଡ, ଷ୍ଟେସନ ପରିସର, ନାଳ ଓ ରେଳବାଇ କଲୋନୀର ବିଭିନ୍ନ ସ୍ଥାନରେ ବ୍ୟାପକ ସଫେଇ କାର୍ଯ୍ୟ କରାଯାଇଥିଲା।
ପୁରୀ ଷ୍ଟେସନରେ ଅବହେଳିତ ସ୍ଥାନଗୁଡ଼ିକୁ ସଫା କରାଯିବା ସହ ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଯାତ୍ରୀମାନଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ନିମନ୍ତେ ସ୍ୱଚ୍ଛତାଭିତ୍ତିକ ସେଲ୍ଫି ପଏଣ୍ଟ ମଧ୍ୟ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରେଳ ଅଧିକାରୀ, ସ୍ୱାସ୍ଥ୍ୟ ନିରୀକ୍ଷକ, ରେଳ କର୍ମଚାରୀ, ସ୍ଥାନୀୟ ନାଗରିକ, ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ସମାଜସେବୀମାନେ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିଲେ।
୨୧ ଓ ୨୨ ସେପ୍ଟେମ୍ବରରେ ‘ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ରେଳଗାଡ଼ି ଓ ସ୍ୱଚ୍ଛ ଜନସାଧାରଣ’ ବିଷୟବସ୍ତୁକୁ ଆଧାର କରି ଏକ ବ୍ୟାପକ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା। ପ୍ଲାଟଫର୍ମ, ରେଳଧାରଣା ଓ ପ୍ରତୀକ୍ଷାଳୟଗୁଡ଼ିକର ଗଭୀର ସଫେଇ ପାଇଁ ଆଧୁନିକ ସଫେଇ ଯନ୍ତ୍ରପାତି ନିୟୋଜିତ କରାଯାଇଥିଲା।
ମଣ୍ଡଳର ବିଭିନ୍ନ ଷ୍ଟେସନ ଓ ରେଳବାଇ କଲୋନୀରେ ଥିବା ଶୌଚାଳୟ, ପରିସ୍ରାଗାର ଓ ନାଳଗୁଡ଼ିକୁ ଭଲଭାବେ ସଫା କରାଯାଇ ଜୀବାଣୁମୁକ୍ତ କରାଯାଇଥିଲା। ସଫେଇ କର୍ମଚାରୀମାନଙ୍କୁ ଗ୍ଲୋଭସ୍, ମାସ୍କ ଭଳି ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଥିଲା।
ଏହା ସହିତ, ରେଳ ଅଧିକାରୀମାନେ ଚଳାଚଳ କରୁଥିବା ଏକ୍ସପ୍ରେସ୍ ରେଳଗାଡ଼ିଗୁଡ଼ିକରେ ସ୍ୱଚ୍ଛତା ଯାଞ୍ଚ କରିଥିଲେ। ଶୌଚାଳୟର ପରିଚ୍ଛନ୍ନତା, ଆସନର ସଫାସୁତୁରା, ବେଡ୍ସିଟ୍ର ସ୍ୱଚ୍ଛତା ଏବଂ ପ୍ୟାଣ୍ଟ୍ରି କାର୍ରେ ଖାଦ୍ୟ ପ୍ରସ୍ତୁତି ସ୍ଥାନଗୁଡ଼ିକର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା।
ଏହି ଅଭିଯାନରେ ସ୍ୱଚ୍ଛତା ସହିତ ଜନସଚେତନତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଇଥିଲା। ରଙ୍ଗ-ଆଧାରିତ ଆବର୍ଜନା ପାତ୍ର ବ୍ୟବହାର କରି ଚାରି ପ୍ରକାରର ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ବର୍ଜନ କରିବା ପାଇଁ ଯାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।
ରେଳବାଇ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛ କାର୍ଯ୍ୟମେଜ ଅଭ୍ୟାସ ଓ ପୁନଃବ୍ୟବହାରଯୋଗ୍ୟ ପାଣି ବୋତଲର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଥିଲା। ରେଳବାଇ କଲୋନୀଗୁଡ଼ିକରେ ନାଳ ଏବଂ ଆବର୍ଜନା ଜମା ହେଉଥିବା ସ୍ଥାନଗୁଡ଼ିକର ସଫେଇ କରାଯାଇଥିଲା।
ଅଭିଯାନର ଶେଷ ଦୁଇ ଦିନ, ଅର୍ଥାତ୍ ୨୩ ଓ ୨୪ ସେପ୍ଟେମ୍ବରରେ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬, ବର୍ଜ୍ୟବସ୍ତୁ ପୃଥକୀକରଣ, ଜୈବିକ ଖତ ପ୍ରସ୍ତୁତି ଏବଂ ‘ପ୍ଲାଷ୍ଟିକ୍କୁ ନା’ ବାର୍ତ୍ତା ମାଧ୍ୟମରେ ଜନଭାଗୀଦାରୀ ଓ ସଚେତନତା ସୃଷ୍ଟି ଉପରେ ଧ୍ୟାନ ଦିଆଯାଇଥିଲା
ରେଳବାଇର ସ୍ୱତନ୍ତ୍ର ଦଳଗୁଡ଼ିକ ପ୍ରମୁଖ ରେଳବାଇ କଲୋନୀଗୁଡ଼ିକରେ ଘରକୁ ଘର ବୁଲି ‘ଅବ୍ ଦୋ ନହିଁ, ଚାର୍’ (ଏବେ ଦୁଇଟି ନୁହେଁ, ଚାରିଟି) ବାର୍ତ୍ତା ମାଧ୍ୟମରେ ଘରୋଇ ବର୍ଜ୍ୟବସ୍ତୁର ଚାରି ପ୍ରକାର ପୃଥକୀକରଣ ସମ୍ପର୍କରେ ବୁଝାଇଥିଲେ।
ଷ୍ଟେସନ ପ୍ଲାଟଫର୍ମ, ଦୋକାନ ଓ ବିକ୍ରୟ ଅଞ୍ଚଳଗୁଡ଼ିକରେ ମଧ୍ୟ ସ୍ୱତନ୍ତ୍ର ସଚେତନତା ଅଭିଯାନ କରାଯାଇଥିଲା। ଯାତ୍ରୀ ଓ ବିକ୍ରେତାମାନଙ୍କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ ବଦଳରେ କପଡ଼ା କିମ୍ବା ଝୋଟ ତିଆରି ବ୍ୟାଗ୍ ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଥିଲା।
ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲର ସଠିକ୍ ନିଷ୍କାସନ ସମ୍ପର୍କରେ ଯାତ୍ରୀ ଓ ବିକ୍ରେତାମାନଙ୍କୁ ସଚେତନ କରିବା ପାଇଁ ଭଦ୍ରକ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ ଚୂର୍ଣ୍ଣ କରୁଥିବା ଯନ୍ତ୍ରର ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା। ଏଥିସହ ରୋଷେଇ ଘରର ଓଦା ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଘରୋଇ ସ୍ତରରେ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ କଲୋନୀବାସୀ ଓ ରେଳବାଇ ସ୍ୱାସ୍ଥ୍ୟ ୟୁନିଟ୍ର କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।
ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବ, ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ଇଞ୍ଜିନିୟର ଶ୍ରୀ ସମ୍ବିଦ ମହାପାତ୍ର ଏବଂ ସହକାରୀ ମଣ୍ଡଳ ଯାନ୍ତ୍ରିକ ଇଞ୍ଜିନିୟର ଶ୍ରୀ ଜସବୀର ସିଂହଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଯାନ୍ତ୍ରିକ ଇଞ୍ଜିନିୟରିଂ ବିଭାଗର ପରିବେଶ ଓ ହାଉସ୍କିପିଂ ପରିଚାଳନା ଶାଖା ପକ୍ଷରୁ ଏହି ଛଅ ଦିନିଆ ଅଭିଯାନ ସଫଳତାର ସହ ସମ୍ପାଦିତ ହୋଇଥିଲା।
ରେଳବାଇ ଅଧିକାରୀ, ଆଗଧାଡ଼ିର କର୍ମଚାରୀ, ଯାତ୍ରୀ, କଲୋନୀବାସୀ ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ବ୍ୟାପକ ଅଂଶଗ୍ରହଣ ରେଳ ପରିସରକୁ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ରଖିବା ଏକ ସାମୂହିକ ଦାୟିତ୍ୱ ବୋଲି ବାର୍ତ୍ତାକୁ ଦୃଢ଼ୀଭୂତ କରିଛି।
