Odisha news

ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାର ପରିସରରେ ବକୁଳ ବୁକ୍ ବାଇକକୁ ସ୍ଵାଗତ

0

ଭୁବନେଶ୍ୱର-ତା.୧୭.୧୧.୨୦୨୩- ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ କରାଯାଉଛି l ଏହି ଉପଲକ୍ଷେ ବକୁଳ ଫାଉଣ୍ଡେସନ ପକ୍ଷରୁ ରାଜ୍ଯ ଗ୍ରନ୍ଥାଗାର ପରିସରରେ ବକୁଳ ବୁକ୍ ବାଇକକୁ ସ୍ଵାଗତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଜିତ୍ ମହାପାତ୍ର, ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ପ୍ରମୁଖ ବକୁଳ ବୁକ୍ ବାଇକକୁ ସ୍ଵାଗତ କରିଥିଲେ ।

ଶିଶୁ ମାନଙ୍କ ମଧ୍ୟରେ ପଠନକୁ ଉତ୍ସାହିତ କରିବା ପାଇଁ ହୋଇଥିବା ନୂତନ ପଦକ୍ଷେପକୁ ପ୍ରଶଂସା କରି ଏହାକୁ ଜାତୀୟ ଗ୍ରନ୍ଥାଗାର ସପ୍ତାହର ଶେଷ ପର୍ଯ୍ୟନ୍ତ ରଖିବା ପାଇଁ ନିର୍ଦ୍ଦେଶକ ଶ୍ରୀ ରାଉତରାଏ ପରାମର୍ଶ ଦେଇଥିଲେ l ପାଠାଗାରକୁ ଆସୁଥିବା ସମସ୍ତ ପାଠକ ପାଠିକା ମାନେ ଏହାର ଭରପୁର ଆନନ୍ଦ ଅନୁଭବ ସହ ଫଟୋ ନେଉଛନ୍ତି l ଏହାକୁ ଦେଖିବାକୁ ଓ ଗ୍ରନ୍ଥାଗାର ପରିଦର୍ଶନ କରିବା ପାଇଁ ଭୁବନେଶ୍ବରର ବିଭିନ୍ନ ବିଦ୍ୟାଳୟ ଗୁଡିକୁ ନିମନ୍ତ୍ରଣ କରାଯାଇଅଛି l

ଆଜି ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ, କୋଲକାତାର କ୍ଷେତ୍ର ପରିଦର୍ଶକ ଶ୍ରୀ ରାଜୀବ ରଞ୍ଜନ କୁମାର ଏଜୋ ଗ୍ରନ୍ଥାଗାର ପରିଦର୍ଶନ ସମୟରେ ବକୁଳ ବୁକ୍ ବାଇକର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହାକୁ ରାଜ୍ଯ ସାରା ବୁଲାଇବା ପାଇଁ ପରାମର୍ଶ ଦେଇଥିଲେ l ଏହି ବୁକ୍ ବାଇକରେ ଶିଶୁ ଉପଯୋଗୀ ବହୁ ପୁସ୍ତକ ଥିବାରୁ ଶିଶୁ ମାନେ ଆସି ପଢିବାର ମଜା ନେଉଛନ୍ତି l ଗ୍ରନ୍ଥାଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ସାହୁ, ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀ ବିଦ୍ୟାଧର ପଣ୍ଡା, ଶ୍ରୀ ପଦ୍ମନାଭ ଜେନା ଓ ଶ୍ରୀମତୀ ସଳିତା ପାତ୍ର ଶିଶୁ ମାନଙ୍କୁ ବିଭିନ୍ନ ସୂଚନା ଦେଇ ଗ୍ରନ୍ଥାଗାରର ବିଭିନ୍ନ ବିଭାଗ ବିଷୟରେ ଅବଗତ କରାଇଥିଲେ l ଏହା ଦ୍ଵାରା ଶିଶୁ ପାଠକ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ହୋଇପାରିବ ବୋଲି ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ ।

Leave A Reply