ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ବୁଧବାର ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲାରେ ଅତିଥି ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଶୁଭମନ ଗିଲ୍ଙ୍କ ୧୫୪ ରନ୍ ଏବଂ ଈଶାନ କିଶନଙ୍କ ୧୨୫ ରନ୍ ବଳରେ ଭାରତୀୟ ଟିମ୍ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୪୦୨ ରନ୍ ସଂଗ୍ରହ କରିଛି। ଫଳରେ ଆଫଗାନିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୪୦୩ ରନ୍ର ଲକ୍ଷ୍ୟ ମିଳିଛି।
ଭାରତର ଇନିଂସ ଆରମ୍ଭ କରିଥିଲେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏବଂ ରୋହିତ ଶର୍ମା। ତେବେ ଘରୋଇ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଦଳ ମାତ୍ର ୯ ରନ୍ରେ ଜୟସ୍ବାଲ (୪ରନ୍)ଙ୍କୁ ହରାଇଥିଲା। ମାତ୍ର ଦ୍ବିତୀୟ ୱିକେଟରେ ରୋହିତ ଶର୍ମା ଏବଂ ଅଧିନାୟକ ଶୁଭମନ ଗିଲ ୮୭ ରନ୍ର ଭାଗିଦାରୀ କରିଥିଲେ। ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୪୮ ରନ୍ ସଂଗ୍ରହ କରିଥିଲେ। ସେ ୩୯ଟି ବଲ୍ ଖେଳି ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ତେବେ ତୃତୀୟ ୱିକେଟ୍ ନେବା ପାଇଁ ଆଫଗାନିସ୍ତାନ ବ୍ୟାକୁଳ ହୋଇ ଉଠିଥିଲା। ଶୁଭମନ ଗିଲ ଏବଂ ଈଶାନ କିଶନଙ୍କ ଯୋଡ଼ି ଭାଙ୍ଗିବା ପାଇଁ ଆଫଗାନିସ୍ତାନ ବୋଲରମାନେ ବହୁ ଉଦ୍ୟମ କରୁଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିଲା ବେଳକୁ ଭାରତର ସ୍କୋର ୩୨୦ ରନ୍ରେ ପହଞ୍ଚି ସାରିଥିଲା। ଈଶାନ କିଶନ ୧୨୫ ରନ୍ ସଂଗ୍ରହ କରିଥିଲେ। ସେ ୭୯ଟି ବଲ୍ ଖେଳି ୧୪ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ଗିଲ ଆଉଟ୍ ହେବା ପୂର୍ବରୁ ୧୫୪ ରନ୍ କରିଥିଲେ। ସେ ୧୧୦ଟି ବଲ୍ ଖେଳି ୨୨ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଯୁବ ବ୍ୟାଟର ଶ୍ରେୟସ ଆୟର ୨୬ ରନ୍, ୱାସିଂଟନ ସୁନ୍ଦର ୧୯ ରନ୍ କରିଥିବା ବେଳେ ପ୍ରିନ୍ସ ଯାଦବ ୫ ରନ୍ ସଂଗ୍ରହ କରିଥିଲେ। ସେହିପରି ଗୁରନୁର ବ୍ରାର୍, ଅର୍ଶଦୀପ ସିଂହ ଏବଂ କୁଲଦୀପ ଯାଦବ ୩ ରନ୍ ଲେଖାଏଁ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ନାନଗେୟାଲି୍ରା ଖାରୋଟି ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ରସିଦ ଖାନ ୩ଟି ୱିକେଟ୍ ଅକ୍ତିଆର କରିଥିଲା ବେଳେ ଏଏମ୍ ଗଜନଫର ଏବଂ ମହମ୍ମଦ ସଲିମ ସଫିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।
