Odisha news

ଶେଷ ହେଲା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କ୍ଷେତ୍ର ଅଧିକାରୀଙ୍କ ଦୁଇଦିନିଆ କର୍ମଶାଳା ଓ ସମୀକ୍ଷା ବୈଠକ

0

 ରିଟେଲ୍ ସହ ଡିଜିଟାଲ ମାର୍କେଟିଂ ଉପରେ ଫୋକସ୍
 କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏବଂ ଓଏନଡିସି ସହଯୋଗରେ ପ୍ରସ୍ତୁତ ହେବ ନକ୍ସା
 ବିଶ୍ଵର କୋଣ ଅନୁକୋଣରେ ପହଞ୍ଚିବ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ

ଭୁବନେଶ୍ୱର, ତା ୧୫/୦୫/୨୦୨୫:

ରିଟେଲ୍ ମାର୍କେଟିଂ ସହ ଡିଜିଟାଲ ମାର୍କେଟିଂ ଉପରେ ଏଣିକି ଫୋକସ୍ କରାଯିବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏବଂ ଓଏନଡିସି ସହଯୋଗରେ ବିପଣନ ନକ୍ସା ପ୍ରସ୍ତୁତ କରିବାକୁ ଯୋଜନା କରିଛି । ବିଶ୍ଵର କୋଣ ଅନୁକୋଣରେ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ବିଶ୍ଵ ବଜାରରେ ଓଡ଼ିଆ ଅସ୍ମିତାର ଜୟଧ୍ଵନୀ ଶୁଣିବାକୁ ମିଳିବ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀମାନଙ୍କ ଦୁଇଦିନିଆ ସମୀକ୍ଷା ଓ କର୍ମଶାଳାର ଦ୍ଵିତୀୟ ଦିବସରେ ଆୟୋଜିତ “ଡିଜିଟାଲ ମାର୍କେଟିଂ” ସମ୍ବନ୍ଧୀୟ ଆଲୋଚନାଚକ୍ରରେ ଏହି ମତ ଆଜି ପ୍ରକାଶ ପାଇଛି । ଆଜି ଦ୍ଵିତୀୟ ଦିବସ ପ୍ରାରମ୍ଭରେ ଓଏନଡିସିର ଉପ-ସଭାପତି ଅଦିତି ସିହ୍ନା ଡିଜିଟାଲ ମାର୍କେଟିଂ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । କର୍ମଶାଳାରେ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଏ ଦିଗରେ ଅବଗତ କରାଯାଇଥିଲା । ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ସହ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ଆଗେଇ ନେବା ପାଇଁ ଏହି ଉଦ୍ୟମ କରାଯାଉଛି ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି । ଏହି ଲକ୍ଷ୍ୟ ସାଧନ ଦିଗରେ ସମସ୍ତ ଅଧିକାରୀ ପ୍ରତିବଦ୍ଧ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ପରବର୍ତ୍ତୀ ସମ୍ପାନରେ ହସ୍ତଶିଳ୍ପର ସାମ୍ପ୍ରତିକ ସ୍ଥିତି ଓ ଏହାର ବିକାଶ ଉପରେ ଆଲୋଚନା ହୋଇଥିଲା । ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆସିଥିବା ହସ୍ତଶିଳ୍ପ କ୍ଷେତ୍ର ଅଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା । ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ ପୁଞ୍ଜରେ ଥିବା ହସ୍ତଶିଳ୍ପ କାରିଗରମାନଙ୍କ ସାମୁହିକ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଏହି ଅବସରରେ ବିଷଦ ଆଲୋଚନା ହୋଇଥିଲା । ବିଭାଗ ଦ୍ଵାରା ନିର୍ମିତ “ସାଧାରଣ ସୁବିଧା କେନ୍ଦ୍ର” ଓ “ହସ୍ତଶିଳ୍ପ ପର୍ଯ୍ୟଟନ କେନ୍ଦ୍ର”ର ପରିଚାଳନା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକାର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେହିପରି “ରାଜ୍ୟ ହସ୍ତକଳା ବିକାଶ ଅନୁଷ୍ଠାନ” ଓ “ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି” ଦ୍ଵାରା ହସ୍ତଶିଳ୍ପର ବିକାଶ ଓ ପ୍ରଚାର ପ୍ରସାର ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରଯାଇଥିଲା । କାରିଗରମାନଙ୍କ ଦ୍ଵାରା ହସ୍ତଶିଳ୍ପ ସାମଗ୍ରୀର ବ୍ୟବସାୟୀକରଣ ପାଇଁ “ଉତ୍କଳିକା” ଦ୍ଵାରା ପ୍ରଦାନ କରାଯାଉଥିବା ସୁବିଧା, ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରଯାଇଥିଲା । ବିଭାଗ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା କିପରି ତୃଣମୂଳ ସ୍ତରରେ କାରିଗର ଓ ବୁଣାକାରମାନଙ୍କ ନିକଟରେ ପହଞ୍ଚି ପାରିବ, ସେ ଦିଗରେ ବିଭାଗୀୟ ଅଧିକାରୀମାନେ ଗୁରୁତ୍ଵାରୋପ କରିଥିଲେ । କେନ୍ଦ୍ରୀୟ ଯୋଜନା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ।

ପ୍ରଥମ ଦିବସରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧାରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ତଥା ଯୁଗ୍ମ ସଚିବ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ, କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply