Odisha news

ପ୍ରିନ୍ସ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟସନ୍ର ତ୍ରୟୋଦଶ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ

0

ବାରିପଦା  : ନବବର୍ଷ ଅବସରରେ ପ୍ରିନ୍ସ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟସନ୍, ବାରିପଦାର ତ୍ରୟୋଦଶ ବାର୍ଷିକ ଉତ୍ସବ ୨୦୨୩-୨୪ ଏହାର ରାମନଗର ସ୍ଥିତ କ୍ୟାମ୍ପସରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି । ପ୍ରିନ୍ସ୍ ଶିକ୍ଷା ସମୂହର ନିଦେ୍ର୍ଦଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନରେ ଏହି କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା । ଏହି ଅବସରରେ ଓଡ଼ିଆ ଗଣଶିକ୍ଷା, ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟଅତିଥି ଭାବରେ ଯୋଗଦେଇ ମୟୂରଭଞ୍ଜ ପରି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଶିକ୍ଷାର ବିକାଶ ନିମନ୍ତେ ପ୍ରିନ୍ସ ଶିକ୍ଷା ସମୂହର ଯୋଗଦାନକୁ ପ୍ରଶଂସା କରିଥିଲେ ତଥା ପାଠପଢ଼ା ସହିତ ନିଜମାଟିର ସଂସ୍କୃତି ଐତିହ ଏବଂ ପରମ୍ପରାକୁ ବଜାୟ ରଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ମରୋଡା ବିଧାୟକ ରାଜକିଶୋର ଦାସ ଯୋଗଦେଇ ରାଜ୍ୟସ୍ତରରେ ପ୍ରିନ୍ସ ଛାତ୍ରଛାତ୍ରୀ ମାନଙ୍କ ସଫଳତାକୁ ଅନେକ ପ୍ରଶଂସା କରିବା ସହିତ ନିଜର ସାରଗର୍ଭକ ବକ୍ତବ୍ୟ ମାଧ୍ୟମରେ ଅନେକ ନୀତିଶିକ୍ଷା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଧାୟକ ସାନନ୍ଦ ମାରାଣ୍ଡି ପ୍ରିନ୍ସ ନିଦେ୍ର୍ଦଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟବସାୟ ଏବଂ ମୟୂରଭଞ୍ଜ ଶିକ୍ଷାକ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ, ତଥା ଛାତ୍ରଛାତ୍ରୀ ମାନଙ୍କୁ ସମୟର ସଦୁପଯୋଗ କରିବା ସହିତ କଲେଜର ନିୟମ ଶୃଙ୍ଖଳା ମାନି ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଅତିଥିବୃନ୍ଦ ଯୁକ୍ତଦୁଇ କଳା ଏବଂ ବିଜ୍ଞାନ ତଥା ନିଟ୍, ଜେଇଇ ପରି ସର୍ବଭାରତୀୟ ପରୀକ୍ଷାରେ ପ୍ରିନ୍ସ କଲେଜ୍ର କ୍ରମାଗତ ସଫଳତା ଏବଂ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟବସାୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ପ୍ରିନ୍ସ ଏକ ଜାତୀୟ ଅନୁଷ୍ଠାନରେ ପରିଣତ ହେବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ଏତଦ୍ବ୍ୟତୀତ ପ୍ରିନ୍ସ ବାରିପଦାର ପ୍ରିନ୍ସିପାଲ ସ୍ୱାଧୀନତା କର, ପ୍ରିନ୍ସ ଡ଼ିଗ୍ରୀ କଲେଜ୍ ଅଧ୍ୟକ୍ଷା ଏମନ୍ ନାଜ୍, ପ୍ରିନ୍ସ ପବ୍ଲିକ୍ ସ୍କୁଲ୍ର ପ୍ରଧାନ ଶିକ୍ଷୟତ୍ରୀ ଶିବାନୀ ଠୟାଲ, ପ୍ରିନ୍ସ ବାଲେଶ୍ୱର ଅଧ୍ୟକ୍ଷା ବବିତା ବେହେରା, ଚେୟାରପର୍ସନ ଜ୍ୟୋତିପୁଷ୍ପା ଦାସ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରିନ୍ସ ଶିକ୍ଷା ସମୂହ ତରଫରୁ ମୟୂରଭଞ୍ଜ ଜିଲ୍ଲାର ତିନିଜଣ ସୁନାମଧନ୍ୟ ଶିକ୍ଷକ ଅଜିତ୍ କୁମାର ଜେନା, ଡକ୍ଟର ରାଧାକାନ୍ତ ମହାରଣା ଏବଂ ଅମିତାଭ ମିଶ୍ରଙ୍କୁ “ପ୍ରିନ୍ସ ଶିକ୍ଷକ ଗୌରବ ସମ୍ମାନ-୨୦୨୩’ ରେ ସମ୍ମାନିତ କରାଯାଇଥିଲା । ପ୍ରିନ୍ସର ପୂର୍ବତନ ଛାତ୍ର ଭାବରେ ଏମ୍ପିସି ସ୍ୱଂୟଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ପଙ୍କଜ କୁମାର ଜେନାଙ୍କୁ ଏବଂ ୨୦୨୩ କାଉନସିଲ୍ ପରୀକ୍ଷାରେ ୯୫ପ୍ରତିଶତ ରଖି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରିନ୍ସ କଲେଜ୍ର ଛାତ୍ର ରୁଦ୍ର ନାରାୟଣ ଭୋଇଙ୍କୁ “ପ୍ରିନ୍ସ ଛାତ୍ର ଗୌରବ ସମ୍ମାନ ୨୦୨୩’ ପ୍ରଦାନ କରାଯାଇଥିଲା । ଏଥିସହିତ ରାଜ୍ୟରେ କେମେଷ୍ଟ୍ରି ଅଲମ୍ପିଆଡ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରିନ୍ସର ଦ୍ୱିତୀୟ ବର୍ଷର ଛାତ୍ର ଅଭିଷେକ ଧଡ଼ାଙ୍କୁ କଲେଜ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କଲେଜ୍ ତରଫରୁ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରିନ୍ସ କଲେଜ୍ ଏବଂ ପ୍ରିନ୍ସ ପବ୍ଲିକ୍ ସ୍କୁଲ୍ ଉଭୟର ଚଳିତବର୍ଷର ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷାନୁଷ୍ଠାନରେ ଆୟୋଜିତ ବାର୍ଷିକ କ୍ରୀଡ଼ା ଏବଂ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ଉପସ୍ଥାପିକା ଖୁସି କୁମାର ଏବଂ ପ୍ରିନ୍ସ କର୍ମକର୍ତ୍ତା ପ୍ରଶାନ୍ତ ଦତ୍ତ ଏବଂ ପୂର୍ଣ୍ଣଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା ସୁଚାରୁ ଭାବେ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରିନ୍ସ ଡ଼ିଗ୍ରୀ କଲେଜ୍ ଅଧ୍ୟକ୍ଷା ଏମନ୍ ନାଜ୍ । ଏଥି ଉପରାନ୍ତେ ପ୍ରିନ୍ସ କଲେଜ୍ ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଆହୁରି ବର୍ଣ୍ଣାଢ଼୍ୟ କରିଥିଲେ ଓଡ଼ିଶା ସଙ୍ଗୀତ ଜଗତର ସୁନାମଧନ୍ୟ ଗାୟକ ତଥା ସଙ୍ଗୀତ ନିଦେ୍ର୍ଦଶକ ଅଭିଜିତ ମଜୁମଦାର । ଅଭିଜିତ ମଜୁମଦାର ଏବଂ ତାଙ୍କ ସହଯୋଗୀ ମାନଙ୍କ ସଙ୍ଗୀତରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅତିଥି ମାନଙ୍କର ଖୁବ୍ ମନୋରଞ୍ଜନ ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ପ୍ରିନ୍ସ ଅଧ୍ୟାପକ ସୁଶାନ୍ତ କୁମାର ଜେନା, ଅଧ୍ୟାପିକା କୀର୍ତ୍ତିଦୀପ୍ତି ଦତ୍ତ, କର୍ମକର୍ତ୍ତା ସୁରଜିତ ଦାସ, ଦିଲିପ୍ କୁମାର ମହାନ୍ତି, ପ୍ରଶାନ୍ତ ଦତ୍ତ, ଦିନେଶ ବେହେରା, ରବିଶଙ୍କର ଶତପଥି, କୁନା ସିଂ, ଲକ୍ଷେହୀରା ସେଠୀ ଓ ରାଜୀବ କୁମାର ଦଳେଇ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ଏଥିସହିତ ଏହି କାର୍ଯ୍ୟକ୍ରମରେ ପ୍ରିନ୍ସ କଲେଜ୍, ବାରିପଦା ଏବଂ ବାଲେଶ୍ୱରର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମକର୍ତ୍ତାଗଣ ଯୋଗଦେଇ କାର୍ଯ୍ୟକ୍ରମ ସଫଳ ହେବାରେ ପ୍ରମୁଖ ଯୋଗଦାନ କରିଥିଲେ ।

Govt
Leave A Reply