ବାରିପଦା : ଉତ୍ତର ଓଡ଼ିଶାର ସର୍ବବୃହତ୍ ବହିମେଳା ଓ ସାରସ୍ୱତ ପର୍ବ ମୟୂରଭଞ୍ଜ ପୁସ୍ତକମେଳାର ୧୦ମ ସଂସ୍କରଣ ଚଳିତ ଡିସେମ୍ବର ମାସ ୧୫ରେ ଆରମ୍ଭ ହୋଇ ସେହି ମାସ ୨୪ତାରିଖରେ ସରିବ ବୋଲି ପୁସ୍ତକମେଳା କମିଟି ତରଫରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୁସ୍ତକମେଳା କମିଟିର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆୟୋଜନର ବଜେଟ ତଥା ଅନ୍ୟାନ୍ୟ ପ୍ରସ୍ତାବମାନ ସଂପାଦକ ମନୋଜ ଦଳବେହେରା ପ୍ରାରମ୍ଭରେ ଉପସ୍ଥାପନ କରିଥିଲେ । ଏହି ପ୍ରସ୍ତାବମାନଙ୍କ ଉପରେ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ଆଲୋଚନା ହୋଇଥିଲା । ଆଲୋଚନାରେ ଶରତ ନାୟକ, ଡଃ ଅସୀମା ସାହୁ, କାବେରୀ ମିଶ୍ର, ସମରେନ୍ଦ୍ର ବଶା, ଶିଉଲାଲ୍ ମହାନ୍ତ, ଗୋପାଳ ସାଓ, ସସ୍ମିତା ଘୋଷାଲ, ପାର୍ବତୀ ବାରିକ, ବାସନ୍ତୀଲତା ବାରିକ, ବନମାଳୀ ପାତ୍ର, ଅଜିତ କୁମାର କବାଟ, ଜୟନ୍ତ କୁମାର ଦ୍ୱାରୀ, ଅଜିତ ପାଣିଗ୍ରାହୀ, ବୀଣାପାଣି ପଣ୍ଡା, ଆମୋଦ ପ୍ରଧାନ, ଅଜୟ କୁମାର ପାଳ, ଗୋକୁଳଚନ୍ଦ୍ର ଦାସ, ଶଙ୍କର ଜେନା, ନୃସିଂହ ଚରଣ ମହାନ୍ତି, ହିମାଂଶୁ ଶେଖର ଦାସ, ପିତାମ୍ୱର ମଲ୍ଲିକ, ଅଶ୍ୱିନୀ କୁମାର ସେନାପତି ଓ ବସୁନ୍ଧରା ଭୋଇ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ପରିଶେଷରେ ୧୦ମ ମୟୂରଭଞ୍ଜ ପୁସ୍ତକମେଳା ଡିସେମ୍ବର ୧୫ତାରିଖରୁ ୨୪ତାରିଖ ଯାଏଁ ବାରିପଦା ଛଉପଡିଆ ଠାରେ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଥିଲା । ଚଳିତ ବର୍ଷର ପୁସ୍ତକମେଳା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ମାର୍ଗଦର୍ଶନରେ ଆୟୋଜିତ ହେବ ବୋଲି ସ୍ଥିର ହୋଇଥିଲା । ଚଳିତ ପୁସ୍ତକମେଳାକୁ ପୂର୍ବବର୍ଷ ଭଳି ରାଜ୍ୟ ତଥା ରାଜ୍ୟ ବାହାରର ନାମୀଦାମୀ ପୁସ୍ତକ ବିକ୍ରେତା ଆସିବେ ବୋଲି ସୂଚନା ଦିଆଯାଇଥିଲା । ପରିଶେଷରେ କୋଷାଧ୍ୟକ୍ଷ କୈବଲ୍ୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।