ବାରିପଦା : ବାରିପଦାସ୍ଥିତ ବିଦ୍ୟାବିହାର ହାଇସ୍କୁଲ ପରିସରରେ ବାରିପଦା ବ୍ଲକ ଏବଂ ମୁନିସିପାଲିଟିର ବିଦ୍ୟାଳୟମାନଙ୍କ ଛାତ୍ରଛାତ୍ରୀଙ୍କୁ ନେଇ ଶିଶୁ ଉତ୍ସବ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ଆୟୋଜକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ କୁମାର ରାୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରଥ ଚନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ସଭାପତି ଲକ୍ଷ୍ମୀଧର ବସା ସଭାପତିତ୍ୱ ଅଭିଭାଷଣ କରିଥିବାବେଳେ ସମ୍ପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥିଭାବେ ଶାମାଖୁଣ୍ଟା ବ୍ଲକ ସମ୍ପାଦକ ଦୟାନିଧି ମହାନ୍ତ ଓ ଶୁଳିଆପଦା ସମ୍ପାଦକ କେଦାର ଚନ୍ଦ୍ର ଧଳ ଯୋଗ ଦେଇଥିଲେ । ଓଷ୍ଟା ସଂଗଠନ ପକ୍ଷରୁ ପିଲାମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ, ଏକକ ନୃତ୍ୟ, ଏକକ ଅଭିନୟ, ବିତର୍କ, ସାଧାରଣ ଜ୍ଞାନ, ବୌଦ୍ଧିକ ପରୀକ୍ଷା, ଚିତ୍ରାଙ୍କନ, କବିତା ଆବୃତି, କବିତା ଲିଖନ, ଗଳ୍ପ ଲିଖନ ଆଦି ୧୦ଟି ବିଭାଗରେ ବାରିପଦା ବ୍ଲକ ଓ ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ମାନଙ୍କର ୧୯୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପ୍ରତି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୧୬ ଓ ୧୭ତାରିଖରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବରେ ଭାଗ ନେବେ । ଉଦ୍ୟାପନୀ ଉତ୍ସବରେ ଜିଲ୍ଲା ଓଷ୍ଟା ସଂଘର ସଭାପତି ସନ୍ତୋଷ କୁମାର କାସ୍ତ ମୁଖ୍ୟଅତିଥି ଓ ସମ୍ପାଦକ ଚିତ୍ତରଞ୍ଜନ ପଳତା ମୁଖ୍ୟବକ୍ତା ରୂପେ ଉପସ୍ଥିତ ଥାଇ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଓଷ୍ଟା ସଂଘର ବାରିପଦା ବ୍ଲକ ଯୁଗ୍ମ ସମ୍ପାଦକ ଅଜିତ କୁମାର ମହାନ୍ତି, ଓଡିଶା ରାଜ୍ୟ ଓଷ୍ଟା ସଂଘ କାର୍ଯ୍ୟକାରିଣୀ ସଭ୍ୟ ଜ୍ୟୋତିରଞ୍ଜନ ବାରିକ, ଜିଲ୍ଲା ଓଷ୍ଟା ସଂଘ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ସିଂ, ଲସ ବେସ୍ରା, ଅକ୍ଷୟ ମହାନ୍ତ ଓ ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ ।