ବାରିପଦା : ବିଜୟରାମଚନ୍ଦ୍ରପୁର ଠାରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର କାର୍ଯ୍ୟକାରିଣୀ କମିଟିର ବୈଠକ ବସି ବାରମ୍ବାର ଦାବି ଓ ଆଲୋଚନା ସତ୍ତ୍ୱେ ପଟ୍ଟାବିହୀନ ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ଦିଗରେ ଟାଳଟୁଳ ନୀତି ଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଛି । ଆଗାମୀ ୧୫ଦିନ ମଧ୍ୟରେ ଏ ବାବଦକୁ ତ୍ୱରିତ ପଦକ୍ଷେପ ନନେଲେ ସଂଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଛି । ଯେଉଁ ବିନ୍ଦୁଗୁଡିକ ଉପରେ ଆଲୋଚନା ହୋଇ ଦାବୀ ରୂପରେ ଉପସ୍ଥାପନ ହୋଇଛି ସେଗୁଡିକ ହେଉଛି ଅସମ୍ପୂର୍ଣ୍ଣ ରହିଥିବା ସର୍ଭେକୁ ଯଥାଶୀଘ୍ର ସମାପ୍ତ କରାଯାଉ, ଅର୍ଥାତ୍ ପୂର୍ବରୁ ଯେଉଁ ସର୍ଭେ ହୋଇଛି ତାହା ଅଧାପନ୍ତରିଆ ହୋଇଛି ଏବଂ ଯେଉଁମାନଙ୍କ ସର୍ଭେ ସରିଛି ଅଥଚ ଜମି ଅଧିକାର ପ୍ରମାଣ ପତ୍ର ଦିଆଯାଇ ନାହିଁ, ତାଙ୍କୁ ଏହା ଯଥାଶୀଘ୍ର ପ୍ରଦାନ କରାଯାଉ ଓ ବାରିପଦା ସହର ମଧ୍ୟରେ ଯେଉଁ ଜଙ୍ଗଲ କିସମର ଜମି ରହିଛି ତାହାର କିସମ ପରିବର୍ତ୍ତନ କରି ତାଉପରେ ବସବାସ କରୁଥିବା ହିତାଧିକାରୀଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ଦିଆଯାଉ । ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ପାଇଁ ୨୦୧୭ ମସିହାରୁ ନିୟମ ପାରିତ ହୋଇଥିଲେ ହେଁ ଗୋଟିଏ ଗଣତାନ୍ତ୍ରିକ ସରକାରର ଏପରି ଉଦାସୀନତା ଅତ୍ୟନ୍ତ ପରିତାପର ବିଷୟ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏବାବାଦରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ୫ଟି ସଚିବ, ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯିବା ନେଇ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ବୈଠକ ସଂଘର ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଧାରଣ ସମ୍ପାଦକ କାହ୍ନୁ ଚରଣ ବେହେରା, କାର୍ଯ୍ୟକାରୀ ସଭାପତି ଆଡଭୋକେଟ ରବି ଗୋସ୍ୱାମୀ, ସହ ସମ୍ପାଦକ କାଶୀନାଥ ମାହାନା, କୋଷାଧକ୍ଷା ଭାରତୀ ପାତ୍ର, ଉପଦେଷ୍ଟା ଅଧ୍ୟାପକ ଗୋପବନ୍ଧୁ ଓ ବରିଷ୍ଠ ସଦସ୍ୟ ଅମଲ ଦେ ପ୍ରମୁଖ ଉପସ୍ଥିତ ଥିଲେ ।