Odisha news

ବାରିପଦା ଠାରେ ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ଜିଲ୍ଲା ଏମେର୍ଜେନ୍ସି ଅପେରସନ ସେଣ୍ଟର ଆନୁକୂଲ୍ୟରେ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଶିକ୍ଷକ୍ଷନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର ସ୍ୱେଛାସେବୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯୟ ସମୟରେ ନିଜେ କିମ୍ବା ନିଜ ଆଖପାଖରେ କେହି କୌଣସି ବିପଦର ସମ୍ମୁଖୀନ ହେଲେ ସେଥିରୁ କେମିତି ଆତ୍ମରକ୍ଷା କରିହେବ ବା ବିପଦରେ ପଡ଼ିଥିବା ଅନ୍ୟ ମାନଙ୍କୁ କିପରି ସାହାଯ୍ୟ କରି କୌଣସି ପ୍ରକାର ସେମାନଙ୍କ ଜୀବନ ରକ୍ଷା କରିହେବ ସେ ବିଷୟ ରେ ବାର୍ତ୍ତା ପହଞ୍ଚାଇବା ସହ ବିପର୍ଯୟ ସମୟରେ କୌଣସି ପ୍ରକାର ଭୟଭୀତ ନହୋଇ ନିଜ ଭିତରେ ସାହସ ସଂଚୟ କରି ଯଥା ସମ୍ଭବ ଏହାକୁ ସାମ୍ନା କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଏମର୍ଜେନ୍ସି ଟିମ, ବାରିପଦା ଏବଂ ଅଗ୍ନିଶମ ବିଭାଗ ତରଫରୁ ବିପର୍ଯୟ ସମୟରେ ବିଭିନ୍ନ ଉପାୟରେ କେମିତି ଲୋକଙ୍କ ଜୀବନ ରକ୍ଷା ତଥା ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିହେବ ସେ ସମ୍ବନ୍ଧରେ କଳା କୌଶଳ ପ୍ରଦର୍ଶନ କରିଥିଲେ । ହୃଦଘାତ, ସାପ କାମୁଡା, ବଜ୍ରାଘାତ, ଇଲେକ୍ଟ୍ରି ସକ ଇତ୍ୟାଦି ମାରାତ୍ମକ ଦୁର୍ଘଟଣାରେ ଆକ୍ରାନ୍ତ ବ୍ୟକ୍ତିକୁ ଡାକ୍ତରି ଚିକିତ୍ସା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ସେଥିରୁ ତୁରନ୍ତ ଉପଶମ ପାଇଁ ଯାହା ଯାହା ଉପଯୋଗୀ ଆପତଃ କାଳୀନ ଉପଚାର ଅଛି ସେ ସମ୍ପର୍କରେ ଅବଗତ କରିଥିଲେ । ସେହିପରି ଆକସ୍ମିକ ଅଗ୍ନି କାଣ୍ଡ ଜନିତ ଦୁର୍ଘଟଣାରୁ ରକ୍ଷା କରିବା କିମ୍ବା ବନ୍ୟା ସମୟରେ ପାଣିରେ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ଜରି ଡାକ୍ତରଖାନା ପହଞ୍ଚାଇବା ପୂର୍ବରୁ ପ୍ରାଥମିକ ଉପଚାର ଦ୍ୱାରା କିପରି ଲୋକଙ୍କ ଜୀବନ ରକ୍ଷା କରିହେବ ସେ ସମ୍ପର୍କ ରେ ବିଭିନ୍ନ ଉପାୟ ଉପସ୍ଥାପନ କରିଥିଲେ । ଏହାପରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟି କଲେକ୍ଟର ଦୁର୍ଗା ଚରଣ ମୁର୍ମୁଙ୍କ ଆବାହକତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଓ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ଦେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏବର୍ଷ ଦିବସ ପାଳନର ବିଷୟବସ୍ତୁ “ସୁରକ୍ଷିତ ଓଡିଶା ପାଇଁ ଗୋଷ୍ଠୀ ସଶକ୍ତିକରଣ’ ଉପରେ ନିଜନିଜର ସୁଚିନ୍ତିତ ମତ ଦେଇଥିଲେ ଏବଂ ବିପର୍ଯୟ ଜନିତ ବିପଦକୁ ଡରି ନଯାଇ ସାମ୍ନା କରିବା ପାଇଁ ସବୁ ସମୟରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଆମ ରାଜ୍ୟ ବିପର୍ଯୟ ପରିଚାଳନା କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଏହି ଧାରାକୁ ନିରନ୍ତର ବଜାୟ ରଖିବା ପାଇଁ ଆମର ପ୍ରସ୍ତୁତି ଏଭଳି ଭାବେ ଜାରି ରଖିବା ଦରକାର, ବିପର୍ଯୟ ଆସିଲେ ସୁଦ୍ଧା ଏହାର ପ୍ରଭାବରେ କେହି ଯେମିତି ମୃତୁ୍ୟ ମୁଖରେ ନପଡ଼ନ୍ତି । ଏହି ଅବସରରେ ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶାସନ ତରଫରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ଜରୁରୀ କାଳୀନ କାର୍ଯ୍ୟାଳୟର ମନୋଜ ମଙ୍ଗରାଜ, ରବୀନ୍ଦ୍ର କୁମାର ଦାଶ, ସ୍ୱପନ କୁମାର ମହାନ୍ତ, ଅମ୍ରିତା ଶତପଥି, ପ୍ରଜ୍ଞା ପରିମିତା ମଲ୍ଲିକ ଏବଂ ଚିନ୍ମୟ ଶତପଥି ସହଯୋଗ କରିଥିଲେ ।

Leave A Reply