Odisha news

ସାଇବର ଠକେଇ ସମ୍ବନ୍ଧରେ ସଚେତନତା ପାଇଁ ସାରା ମୟୂରଭଞ୍ଜ ବୁଲିବ ସାଇବର ସୁରକ୍ଷା ରଥ

0

ବାରିପଦା  : ଦିନକୁଦିନ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଓଡିଶା ରାଜ୍ୟ ପୋଲିସ ବିଭାଗ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଥିବାର ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ଏହାର ରୂପରେଖା କିପରି ରହିବ ଏବଂ ସ୍ୱତନ୍ତ୍ର ଅଭିଯାନର ମାସ୍କଟ ଆଦି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବ୍ୟାପକ ସୂଚନା ପ୍ରଦାନ କରିଛନ୍ତି ମୟୂରଭଞ୍ଜ ଏସପି ଗଙ୍ଗାଧର ବାଟୁଲା । ସେପ୍ଟେମ୍ବର ମାସ ୩୦ ତାରିଖ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ସରା ଓଡିଶା ପରିକ୍ରମା କରିବାକୁ ଥିବା ୩୪ଟି ସ୍ୱତନ୍ତ୍ର ସାଇବର ସୁରକ୍ଷା ରଥକୁ ଉଦ୍ଘାଟନ କରିବେ । ଏହି ରଥ ମୟୂରଭଞ୍ଜ ଜିଲ୍ଲାରେ ୨ ତାରିଖ ପହଁଞ୍ଚିବ । ଏକ ଜିଲ୍ଲାସ୍ତରୀୟ ଉଦ୍ଘାଟନୀ ଉତ୍ସବରେ ଏସପି, ଜିଲ୍ଲାପାଳ, ବିଭିନ୍ନ ବ୍ୟାଙ୍କର ଅଧିକାରୀ ତଥା ସମସ୍ତ ସରକାରୀ ବିଭାଗର ପଦାଧିକାରୀ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଏନଜିଓ, ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ରଥ ଜିଲ୍ଲା ପରିକ୍ରମା ପାଇଁ ବାହାରିଯିବ । ସଚେତନ ରଥ ଜିଲ୍ଲାର ସମସ୍ତ ବ୍ଲକ, ଏନଏସି ଅଞ୍ଚଳ ପରିକ୍ରମା କରିବ । ପରିକ୍ରମା ସମୟରେ ମୁଖ୍ୟ ପେଣ୍ଠ ସ୍ଥଳ, ହାଟ ଆଦି ସ୍ଥାନରେ ଅଟକି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିବ । ୩ତାରିଖ ପାଖରୁ ପ୍ରତ୍ୟେକ ଦିନ ଅନୁ୍ୟନ ଦୁଇଟି ବିଦ୍ୟାଳୟ ସ୍ତରୀୟ ସାଇବର ଅପରାଧ ନିରାକରଣ ସମ୍ପର୍କୀତ କମର୍ଶାଳା ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହେବ । ସେହିପରି ୮ ତାରିଖ ଦୌଡ ଏବଂ ସାଇକେଲ ଚାଳନା କରାଯାଇ ସଚେତନତା ସୃଷ୍ଟି କରାଯିବ । ୯ତାରିଖ ବେଳକୁ ଘରକୁ ଘର ବୁଲି ସଚେତନତା କରାଯିବ ବୋଲି ଜଣାପଡିଛି । ଏଥିରେ ମିଶନ ଶକ୍ତି, ଅଙ୍ଗନବାଡି, ଆଶାକର୍ମୀଙ୍କ ସହିତ ରେଡକ୍ରସ, ଏନଜିଓ, ଏନ୍ସିସି, ଏନ୍ଏସଏସ ସ୍ୱେଚ୍ଛାସେବୀ ମାନେ ସମ୍ପୂର୍ଣ୍ଣ ଯୋଗ ଦେବେ ବୋଲି ଜଣାପଡିଛି । ସେହିପରି ୧୪ତାରିଖ ସନ୍ଧ୍ୟାରେ ବରିଷ୍ଠ ନାଗରିକ, ମହିଳା ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ସନ୍ଧ୍ୟା ଭ୍ରମଣ ଭଳି କାର୍ଯ୍ୟକ୍ରମ ଦ୍ୱାରା ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାର ଏସପି ଗଙ୍ଗାଧର ବାଟୁଲା ସୂଚନା ଦେଇଛନ୍ତି । ୧୫ତାରିଖ ଜିଲ୍ଲାସ୍ତରୀୟ ଉଦ୍ୟାପନୀ ଉତ୍ସବ ଆୟୋଜନ ହେବ ବୋଲି ସୂଚନା ମିଳିଛି । ବ୍ୟାଙ ଅଫ ଇଣ୍ଡିଆ ମୟୂରଭଞ୍ଜ ଜିଲ୍ଲା ପାଇଁ ନୋଡାଲ ବ୍ୟାଙ୍କ ଭାବେ ସହଭାଗିତା କରିବ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ନାଗରିକ ସାଇବର ଅପରାଧ ବିଷୟରେ ଅବଗତ ରହିବା ନିହାତି ଜରୁରୀ ବୋଲି ଏସପି ଶ୍ରୀ ବାଟୁଲା କହିବା ସହିତ ସାଇବର ଠକ ମାନେ କିପରି ଫୋନ୍, ବିଭିନ୍ନ ୱେବ୍ ସାଇଟ୍ ଏବଂ ମୁଖ୍ୟତ ଶିଶୁ ମାନଙ୍କୁ ଲକ୍ଷ୍ୟ (ଟାର୍ଗେଟ) କରି ଜାଲ ବିଛାଇବା ବିଷୟରେ ସୂଚନା ଦେବା ସହିତ ଅଜଣା ନମ୍ବରର ଫୋନ କଲ ନ ଉଠାଇବା, କାହା ସହିତ ନିଜର ବ୍ୟାଙ୍କ ଆକ୍ୱାଣ୍ଟ ତଥା ଅନ୍ୟାନ୍ୟ ତଥ୍ୟ ସଂପର୍କରେ ଅଜଣା ବ୍ୟକ୍ତିଙ୍କୁ ସୂଚନା ନ ଦେବା, ପିଲାମାନଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ ନଜର ରଖିବା ଆଦି ବିଷୟରେ ସାମ୍ୟକ ସୂଚନା ଦେଇଥିଲେ ।

Leave A Reply