Odisha news

ରାଜ୍ୟରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍ଓ ପକ୍ଷରୁ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ

0

ବାରିପଦା  : ରାଜ୍ୟରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍ଓ ମୟୂରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପାଳିତ ହୋଇଯାଇଛି । ଛାତ୍ର ମାନଙ୍କର ଗଣତାନ୍ତ୍ରିକ ଦାବି ଉତ୍ଥାପନ କରିବା ତଥା ଶିକ୍ଷାନୁଷ୍ଠାନରେ ଛାତ୍ରମାନଙ୍କର ବିଭିନ୍ନ ଶୈକ୍ଷିକ, ସାଂସ୍କୃତିକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ କରାଇବା କ୍ଷେତ୍ରରେ ଛାତ୍ର ସଂସଦର ନିର୍ବାଚିତ ପ୍ରତିନିଧିମାନେ ନେତୃତ୍ୱକାରୀ ଭୂମିକା ପାଳନ କରିଥାନ୍ତି । ଶିକ୍ଷାନୁଷ୍ଠାନ ମାନଙ୍କରେ ଥିବା ଶିକ୍ଷା ସମସ୍ୟାଗୁଡ଼ିକୁ କର୍ତ୍ତୃପକ୍ଷ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରିବାରେ ପଦକ୍ଷେପ ନେଇଥାନ୍ତି । ନିର୍ବାଚିତ ଛାତ୍ର ସଂସଦ ଗଠନ କରିବା ଛାତ୍ରଛାତ୍ରୀ ମାନଙ୍କର ଏକ ସଂଗ୍ରାମଲବ୍ଧ ଅଧିକାର । ନବଜାଗରଣ ଯୁଗର ମନୀଷୀ ତଥା ଆମ ଦେଶର ସ୍ୱାଧୀନତା ସଂଗ୍ରାମର ବରେଣ୍ୟ ନେତା ମାନେ ଗଣତାନ୍ତ୍ରିକ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଛାତ୍ର ଓ ଶିକ୍ଷକ ମାନଙ୍କର ଗଣତାନ୍ତ୍ରିକ ଅଧିକାର ଦାବି ଉତ୍ଥାପିତ କରିଥିଲେ । ସର୍ବପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୩୮ ମସିହା ଅକ୍ଟୋବର ୩୧ତାରିଖ ଦିନ ଶିଲଂ ଠାରେ ତାଙ୍କର ଏକ ଐତିହାସିକ ଭାଷଣରେ ଛାତ୍ରଛାତ୍ରୀ ମାନଙ୍କର ନିଜସ୍ୱ ସଂଗଠନ ‘ନିର୍ବାଚିତ ଛାତ୍ର ସଂସଦ’ ର ଦାବି ଉତ୍ଥାପନ କରିଥିଲେ । ମାତ୍ର ଏହି ଅଧିକାରକୁ ସ୍ୱାଧୀନ ଦେଶରେ ଆମ ରାଜ୍ୟରେ ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବରେ କ୍ଷୁର୍ଣ୍ଣ କରାଯାଇଛି, ଯେତେବେଳେ କି ରାଜ୍ୟରେ ଶିକ୍ଷା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କର ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ତଥା ନ୍ୟାୟସଙ୍ଗତ ଦାବି ଆଦାୟର ଗଣତାନ୍ତ୍ରିକ ମାଧ୍ୟମ ପ୍ରତ୍ୟକ୍ଷ ଛାତ୍ରସଂସଦ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ କମ୍ରେଡ ଫୁଲଚାନ୍ଦ୍ ଲୋହର, ଜିଲ୍ଲା ଅଫିସ ସମ୍ପାଦକ ଯତୀନ ବାନରା, ଜିଲ୍ଲା କମିଟି ସଦସ୍ୟ ରଞ୍ଜିତ ସିଂ, ସୁନିଲ ପୂର୍ତ୍ତି, ଶ୍ରୀରାମ ଦିଗି, ମାଇସା ମାଝୀ ଓ ଅନନ୍ତ ଶେଖର ହେମ୍ବ୍ରମ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply