ବାରିପଦା : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ୧୭ବର୍ଷ ବୟସରୁ ଊର୍ଦ୍ଧ୍ୱ ଛାତ୍ରୀମାନଙ୍କୁ ନେଇ “ମୁଁ ବି ମିତା” ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ପ୍ରତିନିଧି ଜିଲ୍ଲାପାଳ (ନିର୍ବାଚନ) ଦୁର୍ଗା ଚରଣ ମୁର୍ମୁ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ “ମୁଁ ବି ମିତା’ର ପରିକଳ୍ପନା ଏବଂ ଏହାର ଆଭିମୁଖ୍ୟ ବିଷୟରେ ପ୍ରତିପାଦନ କରିଥିଲେ । ଅନ୍ୟତମ ଅତିଥି ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଭୋଟର ତାଲିକାର ସଂଶୋଧନ, ନାମ ପଞ୍ଜିକରଣ ଅନ୍ୟାନ୍ୟ ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଭରଦ୍ୱାଜ କହିଥିଲେ ଯେ, ଗଣତନ୍ତ୍ରକୁ ସୁରକ୍ଷିତ ତଥା ସୁଦୃଢ କରିବାରେ ଭୋଟଦାତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ବିକାଶ ଶୀଳ ରାଷ୍ଟ୍ର ପାଇଁ ପ୍ରତ୍ୟେକଟି ଭୋଟ ମୂଲ୍ୟବାନ । ତେଣୁ ନାଗରିକ ଭାବେ ନିଜନିଜର ମତଦାନ ଅଧିକାରକୁ ନିଶ୍ଚିତ ସାବ୍ୟସ୍ତ କରିବା ଉଚିତ । ଯୁବପିଢି ଭୋଟର ମାନେ ଦାୟିତ୍ୱର ସହିତ ଏହାକୁ ସୁଦୂର ପ୍ରସାରି କରିବା ଉଚିତ । ସେହିପରି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ଆଜିର ଏହି ଅଭିଯାନ ଶୁଭ ଅବସରରେ ଭୋଟର ତାଲିକାରେ ନିଜର ନିଜ ନାମ ପଞ୍ଜିକରଣ ପାଇଁ ପ୍ରତିଶୃତି ବଦ୍ଧ ହେବାକୁ ଉତ୍ସାହିତ କରିବା ସହିତ ଅନ୍ୟାନ୍ୟ ସାଙ୍ଗ ସାଥି, ନିଜର ପରିବାରବର୍ଗ ଏବଂ ପୋଡ଼ଶୀ ମାନଙ୍କୁ ପଞ୍ଜିକରଣରେ ସାମିଲ କରାଇବା ପାଇଁ ଉଦ୍ୟମ କରିବେ ବୋଲି ଆଶା ପୋଷଣ କରିଥିଲେ । ଆସନ୍ତା ୨୦୨୪ମସିହାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ ଉପଲକ୍ଷେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ତାଲିକାରେ ଅଧିକରୁ ଅଧିକ ନୂତନ ଯୁବ ଭୋଟଦାତା ବିଶେଷ କରି ନୂତନ ଯୁବତୀଙ୍କ ନାମ ପଞ୍ଜୀକରଣ ନିମନ୍ତେ ଜିଲ୍ଲାସ୍ତରରେ ମହିଳା ଆମ୍ବାସଡର ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଘରେ ବସି କିଭଳି ମୋବାଇଲ ଫୋନ ଜରିଆରେ ନିଜେ ଅନଲାଇନରେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ ସହିତ ନୂତନ ଭୋଟର ପରିଚୟ ପତ୍ର ପ୍ରାପ୍ତ କରିପାରିବେ, ସେ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥିଲା । ସ୍ୱେଚ୍ଛାସେବୀ ମାନେ କିଭଳି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପଞ୍ଜୀକରଣ ପାଇଁ ସଚେତନତା ସୃଷ୍ଟି କରିପାରିବେ ତା’ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ନୂତନ ଭୋଟର ନିଜର ନାମ ପଞ୍ଜିକରଣ, ଅନ୍ୟ ସ୍ଥାନର ଭୋଟର ତାଲିକାରେ ଥିବା ନିଜ ନା କୁ ବାଦ ଦେବା ସହ ନୂତନ ସ୍ଥାନ ର ଭୋଟର ତାଲିକାରେ ନିଜ ନାମକୁ ସଂଯୋଗ କରିବା, ଭୋଟର ପରିଚୟ ପତ୍ରରେ ଥିବା ଅନ୍ୟାନ୍ୟ ଭୁଲ ତୃଟିର ସଂଶୋଧନ, ଆଧାର ସହିତ ଭୋଟର ଆଇଡିକୁ ସଂଯୋଗ କରିବା ପାଇଁ ଡବ୍ଲୁ୍ୟଡବ୍ଲୁ୍ୟଡବ୍ଲୁ୍ୟ.ଏନଭିଏସପି.ଇନ୍ କିମ୍ବା ଭୋଟର ହେଲ୍ପ ଲାଇନ୍ ଏପ୍କୁ ବ୍ୟବହାର କରି କିପରି ଅନ୍ଲାଇନ ଜରିଆରେ କରିପାରିବେ ସେ ସମ୍ଭନ୍ଧ ରେ ଅବଗତ କରାଯାଇଥିଲା । ଏହି ଅବସରରେ ଅତିଥି ବୃନ୍ଦ ଛାତ୍ରୀମାନଙ୍କୁ ମୁଁ ବି ମିତାର ଟୋପି ପ୍ରଦାନ କରି ସଚେତନତା ସୃଷ୍ଟି ପାଇଁ ଉତ୍ସାହିତ କରିଥିଲେ । ଉକ୍ତ କର୍ମଶାଳାରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ, ଅଧ୍ୟାପକ, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ, ବାରିପଦା ପୌରପାଳିକାର ଉକ୍ତ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ବିଭିନ୍ନ ବୁଥସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।