ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆଦିବାସୀ ସମ୍ବାଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ ଆଦି ବିଭିନ୍ନ ଜିଲ୍ଲାର ଆଦିବାସୀ ମାନଙ୍କ ସହିତ ଓଡିଶା ବାହାର ଝାଡଖଣ୍ଡ, ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ମାନେ ଯୋଗଦାନ କରିଥିଲେ ।
ଏଥିରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ମୁଖ୍ୟ ଜିରେନ୍ ଟପ୍ନୋ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ରୂପେ ବିଶ୍ୱବିଦ୍ୟାଳୟର କୁଳସଚିବ ସହଦେବ୍ ସମାଧିଆ, ଟାଟାଷ୍ଟିଲ ଫାଉଣ୍ଡେସନର ଅନ୍ୟତମ ବରିଷ୍ଠ ଅଧିକାରୀ ଡଃ ଅମ୍ବିକା ପ୍ରସାନ ନନ୍ଦ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମାଜ ସେବା ବିଭାଗ ସହକାରୀ ପ୍ରଫେସର ଡଃ ଶୁଭେନ୍ଦୁ ଶତପଥୀ ଓ ସାନ୍ତାଳୀ ବିଭାଗ ସହକାରୀ ପ୍ରଫେସର ଡଃ ଯତୀନ୍ଦ୍ରନାଥ ବେଶ୍ରା କାର୍ଯ୍ୟ ନିର୍ବାହ କରିଥିବାବେଳେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏଜୁକେଶନ୍ ମ୍ୟାନେଜର ନୃପରାଜ୍ ମହାନନ୍ଦ ଓ କର୍ମଚାରୀ ନିଳିମା ହେମ୍ବ୍ରମ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଟପ୍ନୋ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଏହି କାର୍ଯ୍ୟକ୍ରମ ଆଦିବାସୀ ସମାଜକୁ ବହୁ ଆଗକୁ ନେଇପାରିବ ବୋଲି ବକ୍ତବ୍ୟ ରଖିଥିଲେ ।
ଟାଟା ଷ୍ଟିଲ୍ ଏହିପରି କାର୍ଯ୍ୟକ୍ରମ କରି ଆଦିବାସୀମାନଙ୍କୁ ସେମାନଙ୍କର ସଂସ୍କୃତି ଓ ସମସ୍ୟା ସମ୍ବନ୍ଧରେ ଚିନ୍ତନ ଓ ମନନ କରିବାର ସୁଯୋଗ ସୃଷ୍ଟି କରିପାରିଛି ବୋଲି କହିଥିଲେ । ବାରମ୍ବାର ଏପରି କାର୍ଯ୍ୟକ୍ରମ ଦ୍ୱାରା ଆଦିବାସୀମାନଙ୍କ ମଧ୍ୟରେ ସାମୂହିକ ସଚେତନତା ସୃଷ୍ଟି ହେବା ସହିତ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ସେ ଆଶାପୋଷଣ କରିଥିଲେ । ଏହପରି କାର୍ଯ୍ୟକ୍ରମ ଆଦିବାସୀ ମାନଙ୍କ ମନରେ ବିଶ୍ୱାସ ସ୍ଥାପନ କରିପାରିବ ବୋଲି ସେ ଆଶା ପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟର ବିତ୍ତନିୟନ୍ତ୍ରକ ସୁକଦେବ୍ ତରେଇ ନିଜସ୍ୱ ବକ୍ତବ୍ୟରେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚିପାରିଥିବା ଆଦିବାସୀମାନେ ସେମାନଙ୍କ ସମୂହରେ ନିମ୍ନରେ ରହିଯାଇଥିବା ଅନ୍ୟମାନଙ୍କ ବିଷୟରେ ଚିନ୍ତାକରିବାର ଆବଶ୍ୟକତା ଅଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ସହକାରୀ ପ୍ରଫେସର ଡଃ ଲକ୍ଷ୍ମଣ କୁମାର ସାହୁ, ବସନ୍ତ ମହାନ୍ତ, ପ୍ରିୟଙ୍କା ଦାସ, ଭୁବନେଶ୍ୱର ସବର, ସମାଜସେବା ବିଭାଗ ଅଧ୍ୟାପକ ସୁଜୟ କୁଣ୍ଡୁ ଆଦି ଯୋଗଦାନ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସମାଜ ସେବା, ନୃତତ୍ତ୍ୱ, ଓଡିଆ, ଲାଇବ୍ରେରୀ ଓ ସୂଚନା ବିଜ୍ଞାନ, ଅର୍ଥନୀତି ଆଦି ବିଭାଗର ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବୃକ୍ଷ ପୂଜା ସହିତ ସଂଗୀତ ଗାନ କରାଯାଇଥିଲା । ଶେଷରେ ନୃପରାଜ୍ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇଦିନଧରି ଚାଲିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବଶା ଆୟୋଜନ କରିଥିବାବେଳେ ଦଳଗତ ଭାବରେ ଦୁଇଦିନ ଧରି ଆଦିବାସୀ ମାନଙ୍କର ସମସ୍ୟା ସମ୍ବନ୍ଧରେ ଆଲୋଚନାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।
