ଦ୍ୱିତୀୟ ଶ୍ରୀକ୍ଷେତ୍ର ବଡଦାଣ୍ଡ ପାଲଟିଲା ଜନସମୁଦ୍ର, ୨ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ : ଶ୍ରୀମନ୍ଦିରରେ ପହଞ୍ଚିଲା ତିନିରଥ
ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀହରିବଳଦେବଜିଉ ମନ୍ଦିରର ଶ୍ରୀଜିଉମାନଙ୍କର ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଯାଇଛି । ଆଜି ବାହୁଡାଯାତ୍ରା ଶେଷଦିନରେ ବଡଦାଣ୍ଡ ଜନସମୁଦ୍ର ପାଲଟିଯାଇଥିଲା । ଦୁଇଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ଶ୍ରୀମନ୍ଦିରରେ ତିନିରଥ ପହଞ୍ଚିଥିଲା । ତିନିରଥ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଆଜିରାତ୍ରିରେ ମହାପ୍ରଭୁମାନେ ଶ୍ରୀମନ୍ଦିରକୁ ନୀଳାଦ୍ରିବିଜେ କରିଛନ୍ତି । ଅପରାହ୍ନରେ ଦେବୀଶୁଭଦ୍ରାଙ୍କ ଦର୍ପଦଳନରଥ ଟାଉନଥାନା ସମ୍ମୁଖରେ ଟଣାହେବା ପୂର୍ବରୁ ପରମ୍ପରା ଅନୁଯାୟୀ ମହିଳାମାନଙ୍କ ଉଦେ୍ଦଶ୍ୟରେ ପ୍ରସିଦ୍ଧ ଗୁଡଲଡୁ ଫିଙ୍ଗାଯାଇଥିଲା ।
ଆଜି ଅପରାହ୍ନରେ ପ୍ରଥମେ ଟାଉନଥାନା ନିକଟରେ ଅଟକିଥିବା ଦେବୀଶୁଭଦ୍ରାଙ୍କ ରଥପାହଚରେ ତାରାକୋଟା ଓ ଘୋଡାଲାଗି ନୀତିପରେ ରଥଚାଳକ ଠାକୁରଙ୍କୁ ପ୍ରଣାମକରି ଆଜ୍ଞାମାଳ ମାଗିଥିଲେ । ଏହାପରେ ମନ୍ଦିର ପରିଛା ଦୁର୍ଗାଚରଣ ଜିତବାବୁ ଛେରାପହଁରା କରିଥିଲେ । ପରେପରେ ମହିଳା ଭକ୍ତମାନେ ଦେବୀଶୁଭଦ୍ରାଙ୍କ ରଥକୁ ଆନନ୍ଦଉଲ୍ଲାସରେ ଟାଉନଥାନା ନିକଟରୁ ଟାଣି ଶ୍ରୀମନ୍ଦିର ନିକଟରେ ପହଞ୍ଚାଇଥିଲେ । ପରେପରେ ମାଉସୀ ମା’ମନ୍ଦିର ନିକଟରେ ଥିବା ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପାହଚରେ ତାରାକୋଟା ଓ ଘୋଡାଲାଗି ନୀତି ସଂପନ୍ନ ହେବାପରେ ପରିଛାଙ୍କ ଦ୍ୱାରା ଛେରାପହଁରା ହେବାପରେ ଭକ୍ତମାନେ ଖୋଳ, କୀର୍ତ୍ତନ, ହରିବୋଲ, ବାଦ୍ୟ, ଶଙ୍ଖ ଓ ହୁଳୁହୁଳି ଧ୍ୱନୀରେ ଭାବବିହ୍ୱଳ ହୋଇ ମାଉସୀ ମା’ମନ୍ଦିର ନିକଟରୁ ରଥକୁ ଟାଣି ଶ୍ରୀମନ୍ଦିର ନିକଟରେ ପହଞ୍ଚାଇଥିଲେ । ବର୍ଷାଖରା ଲୁଚକାଳିରେ ବଡଦାଣ୍ଡରେ ଗଡିଥିଲା ଦେବୀ ଶୁଭଦ୍ରା ଓ ବଳଭଦ୍ରଙ୍କ ରଥ । ତେବେ ଭକ୍ତମାନଙ୍କ ଉଦେ୍ଦଶ୍ୟରେ ରଥଟଣା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତମାନଙ୍କ ଉପରକୁ ପାଣି ସିଞ୍ଚନ କରାଯାଇଥିବା ବେଳେ ଚଳିତବର୍ଷ ରଥଟଣା ବେଳେ ପୁରୁଣାହାଟସାହି ଯୁବକ ସଂଘ ପକ୍ଷରୁ ଭକ୍ତମାନଙ୍କୁ ମାଗଣାରେ ମୁଢିଆଳୁଦମ୍, ପୁରୀ, ତରକାରୀ, ବୁନ୍ଦିଆ ଆଦି ବଣ୍ଟନ କରାଯାଇଥିଲା ।
ରଥଉପରୁ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ । ବଳଭଦ୍ରଙ୍କ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରୁ ଭକ୍ତମାନଙ୍କ ଉଦେ୍ଦଶ୍ୟରେ ପ୍ରସିଦ୍ଧ ଗୁଡଲଡୁ ଫିଙ୍ଗାଯାଇଥିଲା । ଏହି ଗୁଡଲଡୁ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗୀତା ଲାଗିଥିଲା । ଭକ୍ତମାନେ ଆନନ୍ଦଉଲ୍ଲାସରେ ଗୁଡଲଡୁ ସଂଗ୍ରହ କରିଥିଲେ । ସନ୍ଧ୍ୟାରେ ରଥଉପରେ ତିନିମହାପ୍ରଭୁଙ୍କୁ ଶେଷଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳଭିଡ ଲାଗିଥିଲା । ସନ୍ଧ୍ୟାରେ ଭକ୍ତମାନେ ରଥାରୂଢ ତିନିଠାକୁରଙ୍କୁ ରୂପାବେଶରେ ଦର୍ଶନ କରିଥିଲେ । ରାତି୍ରରେ ମହାପ୍ରଭୁଙ୍କ ଦ୍ୱାଦଶ ଠା’ନୀତି ଶେଷ ହେବାପରେ ନାଗରାବାଡିରେ ନାଗରା ବାଜିବା ପରେ ମହାପ୍ରଭୁମାନଙ୍କ ପାଖରେ ପରିଚ୍ଛା ଅଁଳାପତ୍ର ଲାଗି କରିବା ପରେ ମହାପ୍ରଭୁମାନଙ୍କର ସମସ୍ତ ଅଳଙ୍କାର ବେଶ ଖୋଲାଯିବା ପରେ ସୁବାସିତ ଚନ୍ଦନଜଳ ସିଞ୍ଚନ କରିବା ପରେ ଗୋଟିପହଣ୍ଡି ହୋଇ ମହାପ୍ରଭୁମାନେ ଶ୍ରୀମନ୍ଦିର ସିଂହଦ୍ୱାର ପାଖକୁ ଯାଇଥିଲେ । ମାତ୍ର ମହାଲକ୍ଷ୍ମୀ ମହାପ୍ରଭୁ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଅନୁମତି ଦେଇଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡି ନଥିଲେ । ପରେପରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀଙ୍କର ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଭେଟ ହେବା ପରେ ରଥଗୀତ ଗାଉଣିଆ ଓ ଦେବଦାସୀ ରଥଗୀତ ଗାଇଥିଲେ । ପରେ ମହାଲକ୍ଷ୍ମୀ ମାନିବା ପରେ ପ୍ରଭୁଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଅନୁମତି ଦେଇଥିଲେ । ଶେଷରେ ତିନିମହାପ୍ରଭୁଙ୍କର ସମସ୍ତ ରୀତିନୀତି ଶେଷ ହେବାପରେ ମହାପ୍ରଭୁମାନେ ଶ୍ରୀମନ୍ଦିରରେ ନୀଳାଦ୍ରିବିଜେ କରିଥିଲେ ।
