ବାରିପଦା : ଛେଳି ଚୋରି କରିବା ମହଙ୍ଗା ପଡିଛି, ଛେଳି ଚୋରି କରି ନେଇଯାଉଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି କଙ୍ଗାରୁ କୋର୍ଟରେ ଦଣ୍ଡପାଇବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ । ସୋସିଆଲ ମିଡିଆରେ କଙ୍ଗାରୁ କୋର୍ଟର ଦୃଶ୍ୟ ଭାଇରାଲ ହେବାପରେ ଏହି ଘଟଣା ଲୋକଲୋଚନକୁ ଆସିଛି ।
ଘଟଣାରୁ ପ୍ରକାଶ ଯେ, ବାରିପଦା ସହର ନହରପଦା ଅଞ୍ଚଳର ସିତେନ୍ଦ୍ର ରଣା(୩୨) ଜଣେ ନାବାଳକଙ୍କ ସହ ଚାନ୍ଦୁଆ ଅଞ୍ଚଳର ଏକ ହାଟରୁ ଏକ ଛେଳି ଚୋରି କରି ବାଇକରେ ଖସି ପଳାଉଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଏଥିରେ ଉତ୍ୟକ୍ତ ଲୋକେ କଙ୍ଗାରୁ କୋର୍ଟ ମାଧ୍ୟମରେ ଏହି ଦୁଇଜଣଙ୍କୁ ନିର୍ଧୁମ୍ ଛେଞ୍ଚି ଲହୁଲୁହାଣ କରିଥିଲେ ।
ଶେଷରେ ଘଟଣା ବିଷୟରେ ଚାନ୍ଦୁଆ ପୋଲିସ ଖବର ପାଇ ଏହି ଦୁଇଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣି ଘଟଣାର ତଦନ୍ତ କରିଥିଲେ । ଏନେଇ ଚାନ୍ଦୁଆ ଥାନାରେ ୧୬/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତ ସିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ନାବାଳକଜଣଙ୍କୁ ସ୍ୱଧାର ଗୃହରେ ଜିମା ଦିଆଯାଇଥିବା ଜଣାଯାଇଛି ।