ନିର୍ବାଚନ ସମୟରେ ଟଙ୍କା, ମାଦକ ଦ୍ରବ୍ୟର ପ୍ରବାହ କଡାକଡି ଯାଞ୍ଚ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବୈଠକ , ବିଭିନ୍ନ ସରକାରୀ କାର୍ଯ୍ୟନିର୍ବାହୀ ସଂସ୍ଥାଙ୍କୁ ନେଇ ଗଠିତ ହେଲା ଯାଞ୍ଚ ଦଳ
ବାରିପଦା : ନିର୍ବାଚନ ସମୟରେ ଟଙ୍କା, ମାଦକ ଦ୍ରବ୍ୟ, ଡ୍ରଗ୍ସ ଏବଂ ଅନ୍ୟାନ୍ୟ ଜିନିଷର ପ୍ରବାହ କଡାକଡି ଯାଞ୍ଚ କରିବାପାଇଁ ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଦ ଏବଂ ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଉଦୟ କୁମାର ମହାପାତ୍ର ଜିଲ୍ଲାର ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ସହିତ ଏକ ସମନ୍ୱୟ ବୈଠକ କରିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସିନେ୍ଦ ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ମାନଙ୍କର ଅଧିକାରୀ ମାନଙ୍କୁ ନିର୍ବାଚନ ସମୟରେ କୌଣସି ପ୍ରକାରର ଟଙ୍କା, ମାଦକ ଦ୍ରବ୍ୟ, ଡ୍ରଗ୍ସ, ଭଳି ଅଣଔଚିତ୍ୟ ଜିନିଷର ଦେଣ-ନେଣ ଏବଂ ଅବକାରୀ ଜିନିଷର ଦୁରୁପଯୋଗ ରୋକିବା ପାଇଁ କଡାକଡି ଯାଞ୍ଚ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆଗାମୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଏବଂ ଉତ୍ତମ ବ୍ୟବସ୍ଥିତ ଢଙ୍ଗରେ କରିବାପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ଏବଂ ସେମାନଙ୍କ କର୍ମକର୍ତ୍ତା ମାନଙ୍କୁ ନେଇ ଗଠିତ ଏହି ଦଳ ମାନଙ୍କୁ ଆନ୍ତଃରାଜ୍ୟ ଏବଂ ଆନ୍ତଃ ଜିଲ୍ଲା ସୀମାକୁ ନିୟୋଜିତ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଥିଲା । ଜିଲ୍ଲାପାଳ ଏହା ମଧ୍ୟ କହିଛନ୍ତି ଯେ, ଏହି କ୍ଷେତ୍ରରେ କୌଣସି ପ୍ରକାରର ଔଦ୍ଧତ୍ୟକୁ ଗ୍ରହଣ କରାଯିବ ନାହିଁ ଏବଂ ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ ଏହି ସବୁର ଯାଞ୍ଚ କଡାକଡି ହେବା ସହିତ, ନିୟମ ଉଲଂଘନକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉକ୍ତ ବୈଠକରେ ଉପ-ଆୟୁକ୍ତ, ସିଟି, ଜିଏସ୍ଟି, ବାରିପଦା ଡିଭିଜନ, ଆୟକର ଅଧିକାରୀ, ବାରିପଦା, ଅବକାରୀ ଅଧିକ୍ଷକ, ମୟୂରଭଞ୍ଜ ବନଖଣ୍ଡ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସମେତ ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।