ବାରଙ୍ଗ ; ରବିବାର ବିଳମ୍ବିତ ରାତିରେ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ମୃତକ ହେଉଛନ୍ତି ବାରଙ୍ଗ ଥାନା ନରଣପୁର ଗ୍ରାମର ବିବନ ବିଶ୍ବାଳଙ୍କ ପୁଅ ଧନଞ୍ଜୟ ବିଶ୍ବାଳ(୨୭) ଏବଂ ଅନ୍ୟ ଜଣେ ସମ୍ବଲପୁର ମହୁଲପାଲି ରାଣୀକେଲା ଅଞ୍ଚଳର ସମ୍ପଦ ନାୟକ(୨୭) ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ବାରଙ୍ଗ ପଟୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଓଡ଼ି ୦୨ବିଆର ୨୨୫୩ ବାଇକ ରାସ୍ତା ଡିଭାଇଡରରେ ବୁଲାଇ ବିପରୀତ ଦୀଗରେ ଆସୁଥିବା ଓଡ଼ି ୦୩ଆର ୭୦୭୯ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଉଭୟ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଉଭୟ ଗାଡ଼ିରେ ବସିଥିବା ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।