ସମବାୟ ନିର୍ବାଚନ: ନାମାଙ୍କନ ପତ୍ର ଗ୍ରହଣରେ ନିୟମ ଉଲଂଘନ, ଧାର୍ଯ୍ୟ ସମୟ ପରେ ନାମାଙ୍କନ ପତ୍ର ଗ୍ରହଣକୁ ନେଇ ଗଣ୍ଡଗୋଳ
ରିସିଭ୍ ରେଜିଷ୍ଟରରେ ୨୬, ତାଲିକା ପ୍ରକାଶ ୩୦, ନିର୍ବାଚନ ଅଧିକାରୀ ଓ ସମ୍ପାଦକଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ
ବନ୍ତ,୩/୬ : ସାରା ରାଜ୍ୟରେ ଜୁନ୍ ୧୯ ଓ ୨୬ରେ ସମବାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଭଦ୍ରକ ଜିଲା ବନ୍ତ ବ୍ଲକର ୧୦ଟି ସମବାୟ ସମିତିରେ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଗୁରବାର ଗଣିଜାଙ୍ଗ, କେନ୍ଦୁଆପଦା, ପଧାନପଡା, ଚାଇଁପୁର ସମିତିରେ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ସମୟସୀମା ରହିଥିଲା । ଗଣିଜାଙ୍ଗ, କେନ୍ଦୁଆପଦା, ଚାଇଁପୁର ସମିତିରେ ଶାନ୍ତିଶୃଂଖଳାରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ପଧାନପଡା ସମିତିରେ ନିୟମ ଉଲଂଘନକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବାହ୍ନ ୧୨ଟା ୧୧ଟା ଠାରୁ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ କରିଥିଲେ । ଅପରାହ୍ନ ୩ଟା ୫୬ ମିନିଟ୍ ସୁଦ୍ଧା ୨୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉ ୪ ମିନିଟ୍ ଧାର୍ଯ୍ୟ ସମୟ ବାକି ଥିବା ବେଳେ ଏହାରି ମଧ୍ୟରେ ୪ ଜଣ ପ୍ରାର୍ଥୀଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା । ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ପ୍ରାର୍ଥୀ ଧାର୍ଯ୍ୟ ସମୟ ବିତି ଯାଇଥିବା ବେଳେ କାହିଁକି ନାମାଙ୍କନ ପତ୍ର ଗ୍ରହଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଏପରିକି ପାଟିତୁଣ୍ଡ ଆରମ୍ଭ ହେବା ପରେ ଅଫିସ୍ ଗ୍ରୀଲ ଚାବି ପଡିବା ପରେ ଝରକା ବାଟେ ନାମାଙ୍କନ ପତ୍ର ନିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ସମୟ ମଧ୍ୟରେ ରିସିଭ୍ ରେଜିଷ୍ଟରରେ ୨୬ ଜଣ ପ୍ରାର୍ଥୀଙ୍କର ଦସ୍ତଖତ ହୋଇଥିଲା । ପରେ ପୋଲିସ ପହଞ୍ଚô ଘଟଣା ସଂପର୍କରେ ତଦନ୍ତ କରିଥିଲେ । ଏଥିସହ ଭଦ୍ରକ ଏ.ଆର୍.ସି.ଏସ୍ଙ୍କ ସହ ସମିତିର ସଂପାଦକ କଥା ହୋଇଥିଲୋ ।
ଶୁକ୍ରବାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ବିଳମ୍ବରେ ଆସିଥିବା ୪ ପ୍ରାର୍ଥୀ ପତ୍ରକୁ ଗ୍ରହଣ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ ଅଧିକାରୀ ତପନ କୁମାର ସେଠୀ ଓ ସଂପାଦକ ନାରାୟଣ ଚନ୍ଦ୍ର ସାହୁ ପ୍ରତିଶୃତି ଦେଇଥିଲେ । ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା । ମାତ୍ର ଶୁକ୍ରବାର ସକାଳ ସମୟରେ ସମିତିର ସଂପାଦକ ଅଫିସ ଆସି କିଛି ସମୟ ରହି ପଳାଇ ଯାଇଥିଲେ । ଅଭିଯୋଗ ସଂପର୍କରେ ପଦକ୍ଷେପ ନେବା ପରିବର୍ତ୍ତେ ଅପରାହ୍ନ ୨ଟା ବେଳେ କେହି ନଥିବା ବେଳେ ୩୦ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ କାନ୍ଥରେ ନୋଟିସ ମାରି ଚାଲି ଯାଇଥିଲେ । ଫଳରେ ଅଭିଯୋଗ କରିଥିବା ପ୍ରାର୍ଥୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ନିର୍ବାଚନ ଦାୟୀତ୍ୱରେ ନିର୍ବାଚନ ଅଧିକାରୀ ଥିବା ବେଳେ ସମିତିର ସଂପାଦକ ମନୋମୁଖୀ ଭାବେ ବେଆଇନ କାର୍ଯ୍ୟ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାର ଓ ମୁଖ୍ୟ ନିର୍ବାଚନ କମିଶନର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି । ଏସଂପର୍କରେ ନିର୍ବାଚନ ଅଧିକାରୀ ତପନ କୁମାର ସେଠୀଙ୍କୁ ପଚାରିବାରୁ ପ୍ରାର୍ଥୀ ମାନେ ସମିତି ପରିସରରେ ଉପସ୍ଥିତ ଥିବାରୁ ସେମାନଙ୍କ ଠାରୁ ପ୍ରାର୍ଥୀ ପତ୍ର ଗ୍ରହଣ କରାଯାଇଥିବା କହିଛନ୍ତି ।