Odisha news

ଫନିର ୧୭ମାସ ପରେ ବି ମିଳିଲାନି କଦଳୀ ଚାଷୀଙ୍କୁ କ୍ଷତିପୂରଣ

0

ଗୋପ : ସାମୂଦ୍ରିକ ବାତ୍ୟା ଫନିକୁ ୧୭ ମାସ ପରେ ବି ପୁରୀ ଜିଲ୍ଲା ଗୋପ ବ୍ଲକ କଦଳୀ ଚାଷୀଙ୍କୁ ମିଳିଲାନି କ୍ଷତିପୁରଣ । ସରକାର ବାତ୍ୟା ପରେ କଦଳୀ ଚାଷୀମାନଙ୍କ ନିମନ୍ତେ ୨.୫କୋଟି ଟଙ୍କା ପୁରୀ ଜିଲ୍ଲାକୁ ମଂଜୁର କରିଥିବା ବେଳେ ଅଦ୍ୟାବଧି ଏହି ଟଙ୍କା ଚାଷୀମାନଙ୍କୁ ନମିଳିବା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଗୋପ ବ୍ଲକର କଦଳୀ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଉତେଜନା ଦେଖାଦେଇଥିବା ବେଳେ ଆଗାମୀ ଦିନରେ ଏହି ଚାଷୀମାନେ ଗୋପ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଘେରଉ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଗୋପ ବ୍ଲକ ଅନ୍ତର୍ଗତ ବେଦପୁର,ନାଗପୁର,ଗୋପ,ଗଣେଶ୍ୱରପୁର ଭଳି ପଂଚାୟତରେ ଚାଷୀମାନେ ଶହ ଶହ ହେକ୍ଟର ଜମିରେ କଦଳୀ ଚାଷ କରିଥିବା ବେଳେ ଗତ ଫନି ବାତ୍ୟାରେ ଏହା ସମ୍ପୂର୍ଣ ଭାବେ ଧ୍ୱଂସ ହୋଇଯାଇଥିଲା । ସରକାରଙ୍କ ନିଦେ୍ର୍ଦଶାନୁଯାୟୀ ଏହି ଚାଷ କ୍ଷୟକ୍ଷତି ଆକଳନ କରାଯାଇଥିଲେ ମଧ୍ୟ ଏହା ସଠିକ୍ ଭାବେ ହୋଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କେତେକ କୁଜି ନେତା ଓ ପଂଚାୟତ ଦଲାଲ ମାନଙ୍କ ଚାପରେ ଉଦ୍ୟାନ ବିଭାଗର ଅଧିକାରୀ ଏହି ଆକଳନ କରିଥିବା ବେଳେ ଅନେକ ଚାଷୀ ଏଥିରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ଗୋପ ବ୍ଲକ ଚାଷୀମାନଙ୍କ କଦଳୀ ଚାଷ ଭାତହାଣ୍ଡି ହୋଇଥିବା ବେଳେ ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି କଦଳୀ ଚାଷ କରିଥିଲେ । ମାତ୍ର ବାତ୍ୟାରେ ଏହା ଧ୍ୱଂସ ହୋଇଯିବାରୁ ଏବେ ଚାଷୀମାନଙ୍କ କିଭଳି ଭାବେ ଏହି ଋଣ ଶୁଝିବେ ଚିନ୍ତାରେ ଥିବା ବେଳେ ସରକାରଙ୍କ ସହାୟତା ସେମାନଙ୍କ ପାଇଁ ସାତ ସପନ ପାଲଟିଛି ।

ହେଲେ କେବେ ମିଳିବ ସହାୟତା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଗୋପ ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ଙ୍କୁ ପଚାରିବାରେ ସେ କହିଲେ ଯେ ତଦନ୍ତ ହୋଇ ଚାଷୀମାନଙ୍କ ନାମ ଯାଇଛି ଏବଂ ସରକାରଙ୍କ ତରଫରୁ ସହାୟତା ରାଶି ଆସିଲେ ସେମାନଙ୍କୁ ଦିଆଯିବ । ଅନ୍ୟପକ୍ଷରେ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀଙ୍କ ଅଜବ ଯୁକ୍ତି ସରକାରଙ୍କ ଦ୍ୱାରା ପ୍ରଦତ କ୍ଷତିପୁରଣ ରାଶି ଯଥେଷ୍ଟ ନୁହେଁ ଆମେ ଏ ସମ୍ପର୍କରେ କୃଷି ମନ୍ତ୍ରୀଙ୍କୁ ଜଣାଇଛୁ ଏବଂ ଯେଉଁ ଅର୍ଥ ଆମେ ସରକାରଙ୍କ ନିକଟରୁ ପାଇଛୁ ତାହା ବଂଟନ କଲେ ଆଇନକାନୁନ୍ ସମସ୍ୟା ଦେଖାଦେବ । ଦ୍ୱିତୀୟରେ ଆମ ପାଖରେ ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଆମେ କ୍ଷତିପୂରଣ ଅର୍ଥ ଚାଷୀମାନଙ୍କ ପ୍ରଦାନ କରିପାରୁନାହୁଁ । ତୁରନ୍ତ ଏହି ଘଟଣାରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Nalco
Leave A Reply