Odisha news

ପ୍ରି-ବୋର୍ଡ ପରୀକ୍ଷା ପରେ ଶ୍ରେଣୀରେ ଜଣେ ଛାତ୍ର:ତଦନ୍ତ ଦାବୀ କଲେ ବିଧାୟକ

0

ବାଲିଗୁଡା,କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମରେ ଥିବା ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ପ୍ରି-ବୋର୍ଡ ପରୀକ୍ଷା ପରେ ଘରକୁ ପଠାଇ ଦିଆଯାଇଛି। ଦଶମ ଶ୍ରେଣୀରେ ମୋଟ ୯ ଛାତ୍ରୀଛାତ୍ର। ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିଲେ। ଅନ୍ୟ ୩ ଜଣ ନିକଟସ୍ଥ ସୁଜାମାଜୁ ଗ୍ରାମରୁ ଏଠାକୁ ପଢ଼ିବାକୁ ଆସୁଥିଲେ। ତେବେ ପ୍ରି- ବୋର୍ଡ ପରୀକ୍ଷା ପରେ ହଷ୍ଟେଲରୁ ଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଅନ୍ୟ ୨ ଜଣ ବିଦ୍ୟାଳୟକୁ ଆସୁ ନ ଥିବା ବେଳେ ଜଣେମାତ୍ର ଛାତ୍ର ପାନୁଏଲ୍‌ ପ୍ରଧାନ ଆସି ପାଠ ପଢ଼ୁଛନ୍ତି। ପିଲାଙ୍କୁ ହଷ୍ଟେଲରୁ ଛାଡ଼ି ଦିଆଯାଇଥିବା ସମ୍ପର୍କରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କୁ କେତେଜଣ ଅଭିଭାବକ ଅଭିଯୋଗ କରିଥିଲେ। ଜନଜାତି ଛାତ୍ରୀଙ୍କ ପାଇଁ ଆସୁଥିବା ଭତ୍ତା ଟଙ୍କାକୁ ହଡ଼ପ କରିବା ନିମନ୍ତେ ହଷ୍ଟେଲରୁ ପିଲାଙ୍କୁ ଛାଡ଼ି ଦିଆଯାଇଛି। ତେଣୁ ପ୍ରଧାନ ଶିକ୍ଷକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ଶୀଘ୍ର ସମସ୍ୟା ସମାଧାନ କରିବା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା ଏବଂ ଜିଲା ମଙ୍ଗଳ ଅଧିକାରୀଙ୍କୁ ବିଧାୟକ କହିଛନ୍ତି।
ଅନ୍ୟପକ୍ଷରେ ଅଭିଯୋଗକୁ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍କଳ କେଶରୀ ବିବାର ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ମ୍ୟାଟ୍ରନ ରହିମା ପ୍ରଧାନ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି, ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକ ଅଭାବ। ପ୍ରାଥମିକ ଶିକ୍ଷକ ଏବଂ ସିମନବାଡ଼ି ଉଚ୍ଚ ବିଦ୍ୟାଳୟରୁ ଜଣେ ଶିକ୍ଷକ ସପ୍ତାହକୁ ୨ ଦିନ ଏଠାକୁ ଆସି ପିଲାଙ୍କୁ ପଢ଼ାଇଲେ। ହେଲେ ପରୀକ୍ଷାରେ ଭଲ ରେଜଲ୍ଟ ପାଇଁ ପିଲାଙ୍କୁ ବାହାରେ ଟିଉଶନ କରାଇବେ ବୋଲି ଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟରେ ଲିଖିତ ଭାବେ ଜଣାଇ ନିଜ ନିଜ ପିଲାଙ୍କୁ ନେଇଛନ୍ତି। ସେ କଣସି ଜାତି କିମ୍ବା ଧର୍ମ ବିରୋଧୀ କାର୍ଯ୍ୟ କରୁନାହାନ୍ତି ବୋଲି ପ୍ରଧାନ ଶିକ୍ଷକ ବିବାର କହିଛନ୍ତି। ଯଦି ଅଭିଯୋଗ ହେଉଛି, ତେବେ ପୁଣି ଅଭିଭାବକଙ୍କୁ ଡକାଇ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଶୀ ପର୍ଯ୍ୟନ୍ତ ମୋଟ ୧୯୩ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟରୁ ଦଶମ ପର୍ଯ୍ୟନ୍ତ ୧୦୦ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି।

Leave A Reply

Your email address will not be published.