ବାଲିଗୁଡ଼ା,ତା, ୨୭/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ଭୂସ୍ଖଳନ ଓ ରାସ୍ତା ଅବରୋଧ ଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଜେସିବି ମେସିନ୍ ସହ ଅଗ୍ନିଶମ ଟିମ୍କୁ ସଜାଗ ରଖାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିରେ ରାସ୍ତା ସଫା କରିବା ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଅନ୍ୟପକ୍ଷରେ, ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ଆବଶ୍ୟକ ସେବା ଯୋଗାଇବା ପାଇଁ ‘ମା’ ଗୃହର ବ୍ୟବସ୍ଥା କରାଯାଇଛି। ଏଥିସହ ସମ୍ଭାବ୍ୟ ବାତ୍ୟା ସମୟରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟିରେ ନିୟୋଜିତ କରାଯାଇଛି। ଏନେଇ ବାଲିଗୁଡ଼ା ବିଡିଓ ଅକ୍ଷୟ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ସଜାଗ ରହିଛି ।
