Odisha news

ଖାଲଖମାରେ ଭର୍ତ୍ତି କ.ନୂଆଗାଁର ମୁଖ୍ୟ ରାସ୍ତା , ବିପଦରେ ଯାତାୟାତ; ତୁରନ୍ତ ସ୍ଥାୟୀ ମରାମତି ଦାବି

0
ବାଲିଗୁଡା ,ତା,  ୦୫/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ(: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଦେଇ ଯାଇଥିବା ରାଜ୍ୟ ରାଜପଥର ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡ଼ିଛି। ବଜାର ଅଞ୍ଚଳରୁ କଞ୍ଜାମେଣ୍ଡି ଜନବିକାଶ, ଥାନା, ବଜାର ଦେଇ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବା ବେଳେ ଦୀର୍ଘଦିନ ଧରି ମରାମତି ନହେବା ଯୋଗୁଁ ଯାତାୟାତ ବିପଦପୂର୍ଣ୍ଣ ହୋଇଛି। ଏହି ରାସ୍ତା କନ୍ଧମାଳର ଏକ ପ୍ରମୁଖ ଯୋଗାଯୋଗ ମାର୍ଗ ହୋଇଥିବାରୁ ପ୍ରତିଦିନ ଶତାଧିକ ଟ୍ରକ, ମାଲବାହୀ ଭାରିଯାନ, ଯାତ୍ରୀବାହୀ ବସ୍‌, କାର ଓ ଦୁଇ ଚକିଆ ଯାନ ଚଳାଚଳ କରୁଛି। କ.ନୂଆଗାଁକୁ ରାଇକିଆ, ଫୁଲବାଣୀ ଓ ବାଲିଗୁଡ଼ା ସହ ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ସହ ସଂଯୋଗ କରୁଥିବା ଏହି ରାସ୍ତାରେ ଖାଲଖମା ଯୋଗୁଁ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ବର୍ଷା ହେଲେ ସ୍ଥିତି ଆହୁରି ଜଟିଳ ହେଉଛି। ରାସ୍ତାର ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ଗାତର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଯାନବାହନ ଚାଳକ ମାନେ ଅସୁବିଧାରେ ପଡ଼ିବା ସହ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ବିଶେଷକରି ଛାତ୍ରଛାତ୍ରୀ, ବୟସ୍କ ଓ ରୋଗୀମାନଙ୍କ ଯାତାୟାତରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜପଥ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ରାସ୍ତାର ମରାମତି ନ ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେବଳ ଖାଲରେ ମାଟି କିମ୍ବା ମେଟାଲ ପକାଇ ଦାୟିତ୍ୱ ସାରି ନଦେଇ ରାସ୍ତାର ସ୍ଥାୟୀ ମରାମତି ଓ ଗୁଣାତ୍ମକ ନବୀକରଣ କରିବାକୁ ଦାବି ହୋଇଛି। ତୁରନ୍ତ ପୂର୍ତ୍ତ ବିଭାଗ ଓ ପ୍ରଶାସନ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଖାଲଖମା ପୂରଣ ସହ ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।
Nalco
Leave A Reply