Odisha news

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ବାଲିଗୁଡ଼ା, ତା, ୦୮/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାକୁ ନେଇ ଏକ ବୃହତ ସଚେତନତା ସଭା ସ୍ଥାନୀୟ ଅଞ୍ଚଳରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବ୍ୟକ୍ତି ବିଶେଷ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ବନବାସୀ ସେବା ସମିତିର ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳ ର ସାଧାରଣ ଜନତା ସାମିଲ ହୋଇଥିଲେ। ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ନିର୍ବାଚନ ଅଧିକାରୀ  ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ  ଯୋଗଦେଇ “ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ” (SIR) ର ଆଭିମୁଖ୍ୟ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ରହିବା ଅତ୍ୟନ୍ତ ଜରୁରୀ। ନାଗରିକ ମାନଙ୍କ କଲ୍ୟାଣ ତଥା ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ସରକାର ଏହି ଅଭିଯାନକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।
ସେହିପରି ସଭାରେ ଉପସ୍ଥିତ ସହକାରୀ ଜିଲ୍ଲାପାଳ ରୂପକ କୁଜୁର ଏସ ଆଇ ଆର କିଭଳି କାର୍ଯ୍ୟ କରେ ଏବଂ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ। ସେ ସୂଚନା ଦେଇଥିଲେ ଯେ, ପ୍ରଶାସନ ପକ୍ଷରୁ ନିଯୁକ୍ତ ବୁଥ ସ୍ତରୀୟ ଅଧିକାରୀ ବି ଏଲ ଓ  ମାନେ ଘରକୁ ଘର ବୁଲି ସଠିକ ତଥ୍ୟ ସଂଗ୍ରହ କରିବେ। ଏହି ଜନହିତକର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ଜନସାଧାରଣ ସମସ୍ତ ERO, AERO ଏବଂ ବି ଏଲ ଓ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମର ଆବାହକ ତୀର୍ଥବାସୀ ଘୋଡ଼େଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ର ସମୟସୀମା ଏବଂ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବନବାସୀ ସେବା ସମିତିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭୋଟର ସଚେତନତା ଉପରେ ଏକ ସୁନ୍ଦର ସାଂସ୍କୃତିକ ତଥା ସଚେତନତାଧର୍ମୀ ନାଟକ ପ୍ରଦର୍ଶନ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଶେଷରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଏବିଡିଓ  ପ୍ରଦୀପ କୁମାର ବାଗ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ, ଏସ.ଏଚ.ଜି ମହିଳା, ବନବାସୀ ସେବା ସମିତିର ସଦସ୍ୟ, ସ୍ଥାନୀୟ ନାଗରିକ ଏବଂ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।
Govt
Leave A Reply