Odisha news

କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକା ଜଙ୍ଗଲ ଜଳୁଛି : ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଛି 

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):  ଆଭ୍ୟନ୍ତରୀଣ ସମଗ୍ର କନ୍ଧମାଳ ଜିଲ୍ଲାରେ ତାପମାତ୍ରା ଦିନକୁ ଦିନ ବଢ଼ିବା ସହିତ ସପ୍ତାହକ ଭିତରେ ଜଙ୍ଗଲ ନିଆଁରେ ଅନ୍ୟ ଜିଲ୍ଲା ଠାରୁ କନ୍ଧମାଳ ଜିଲ୍ଲା ଆଗରେ ରହିଛି । ପ୍ରତିଦିନ ଜିଲ୍ଲାର କେଉଁଠି ନାଁ କେଉଁଠି ଜଙ୍ଗଲ ଜଳୁଛି। ବର୍ତ୍ତମାନ କନ୍ଧମାଳ ଜିଲାର ତୁମୁଡିବନ୍ଧ ଓ ବେଲଘରର ଆଭ୍ୟନ୍ତରୀଣ ଇଲାକା ରେ ଦୁଇଦିନ ହେଲା ଜଙ୍ଗଲ ଜଳୁଛି। ନିଆଁ ଲିଭାଇବା କାର୍ଯ୍ୟରେ ବନ ବିଭାଗ କର୍ମଚାରୀ ନିୟୋଜିତ ଥିଲେ ହେଁ ଏପର୍ଯ୍ୟନ୍ତ ଆୟତ୍ତକୁ ଆସିନାହିଁ । ଟାଣଖରା ଯୋଗୁ ଜଙ୍ଗଲରେ ଡାଳପତ୍ର ଶୁଖି ଗଲାଣି। ତଳେ ପଡ଼ିଥିବା ପତ୍ର ମଧ୍ୟ ଶୁଖି ଯାଇଛି। କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଲେ ହେକ୍ଟର ହେକ୍ଟର ଜଙ୍ଗଲ ଜଳି ପାଉଁଶ ହେଉଛି। କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଏବଂ ବେଲଘର ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆୟତ୍ତକୁ ଆସିନାହିଁ । ଏହି ଦୁଇଟି ଜଙ୍ଗଲ ବାଲିଗୁଡ଼ା ଡିଭିଜନ ଅଧୀନରେ ରହିଛି। ଏହି ଦୁଇଟି ଜଙ୍ଗଲ ଜଳୁଥିବା ବିଷୟ ଭାରତୀୟ ଜଙ୍ଗଲ ସରଭେ ରେ ଏହାର ୱେବସାଇଟ୍‌ରେ ସ୍ପଷ୍ଟ କରିଛି l ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ଦାଉ ସାଜୁଛି। ନିଆଁ କବଳରେ ହଜାର ହଜାର ହେକ୍ଟର ଜଙ୍ଗଲ ରହିଛି। ଗଛପତ୍ର ଜଳିବା ସହିତ ବନ୍ୟଜନ୍ତୁ ଜୀବନ୍ତ ଦଗ୍ଧ ହେଉଛନ୍ତି । ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ବନ ବିଭାଗ କର୍ମଚାରୀ ନାକେଦମ ହୋଇ ପଡ଼ିଲେଣି। ଗୋଟିଏ ଜାଗାରେ ନିଆଁ ଲିଭାଇ ଫେରିଲା ବେଳକୁ ଅନ୍ୟ ଜାଗାରେ ନିଆଁ ଲାଗୁଛି। ରାତିରେ ଜଙ୍ଗଲ ଜଳୁଥିବାରୁ ପାର୍ଶ୍ଵବର୍ତ୍ତୀ ଗାଁରେ ଅଧିକା ଗରମ ଅନୁଭୂତ ହେଉଛି। ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେଉଛି। ଥଣ୍ଡା ପ୍ରବଣ ଏହି ଅଞ୍ଚଳରେ ୨୦୨୧ରୁ ଜଙ୍ଗଲ ନିଆଁ ବୃଦ୍ଧି ପାଇବାରେ ଲାଗିଛି। ଶୁଖିଲା ପତ୍ରକୁ ଏକାଠି କରି ପୋତି ଦିଆଗଲେ ବନାଗ୍ନି ହ୍ରାସ ପାଇବ ବୋଲି ପରିବେଶବିତ୍ ମାନେ କହୁଛନ୍ତି। ମହୁଲ ଫୁଲ ଏବଂ ଶାଳ ମଞ୍ଜି ସଂଗ୍ରହ କରିବା ପାଇଁ ଲୋକେ ଶାଳଗଛ ମୂଳେ ଏବଂ ମହୁଲ ଗଛ ତଳେ ନିଆଁ ଲଗାଇ ଦେଉଛନ୍ତି। ଏହି ନିଆଁ ଚାରିଆଡ଼େ ବ୍ୟାପୁଛି। ମହୁଲ ଫୁଲ ଏବଂ ଶାଳ ମଞ୍ଜି ସଂଗ୍ରହ ପାଇଁ ଗଛ ଚାରିପଟେ ଜାଲି ବାନ୍ଧିବା ଦ୍ବାରା ଗଛରୁ ପଡୁଥିବା ମହୁଲ ଫୁଲ ଶାଳ ମଞ୍ଜି ସହଜରେ ସଂଗ୍ରହ କରାଯାଇ ପାରିବ। ପୁଣି ଶିକାରୀ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି । ବନ ବିଭାଗ ଶିକାରୀଙ୍କୁ ଧରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରୁଥିଲେ ହେଁ ବାସ୍ତବରେ ଅଦାଲତରେ ବର୍ଷ ବର୍ଷ ଧରି ମାମଲା ଗଡ଼ୁଥିବାରୁ ଶିକାରୀ ଦଣ୍ଡ ପାଇବାରେ ବିଳମ୍ବ ହେଉଛି। ଏହି ନିଆଁ ନ ଲଗାଇବା ପାଇଁ ବିଭାଗୀୟ ଉଚ୍ଚ ପଦାଧିକାରୀ ଉଚିତ ପଦକ୍ଷେପ ଗ୍ରହଣ କଲେ ନିଆଁ ଲାଗିବା କିଛିଟା କମିଯାଇ ପାରନ୍ତା ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି l
Leave A Reply