ବାଲିଗୁଡା, ତା, ୧୨/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟରୁ ମୃତ ନବଜାତ ଶିଶୁ ଉଦ୍ଧାର ହୋଇଛି। ଜନୈକା ନାବାଳିକା ଛାତ୍ରୀ ନବଜାତକଙ୍କୁ ଜନ୍ମ ଦେଇ ଶୌଚାଳୟ ମଧ୍ୟରେ ଫିଙ୍ଗିଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ଶୌଚାଳୟ ଭାଙ୍ଗି ମୃତ ନବଜାତକଙ୍କୁ ଉଦ୍ଧାର କରାଯାଇଛି। ତେବେ ସୂଚନା ମୁତାବକ ବୁଧବାର ସକାଳେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ପରିବାର ଲୋକଙ୍କ ସହ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଆଉ ସେ ବହିର୍ବିଭାଗର ପୁରୁଷ ଶୌଚାଳୟକୁ ଯାଇଥିବା ବେଳେ ସେଠି ନବଜାତ ଶିଶୁଙ୍କୁ ଜନ୍ମ ଦେଇଥିଲେ। ତା’ପରେ ନବଜାତ ଶିଶୁଙ୍କୁ ଶୌଚାଳୟର ପ୍ୟାନ୍ ମଧ୍ୟରେ ଫୋପାଡ଼ି ସେଠାରୁ ଛାତ୍ରୀ ଜଣଙ୍କ ଚାଲିଯିବାକୁ ଉଦ୍ୟମ ରଖିଥିବା ବେଳେ ନବଜାତ ଶିଶୁର ମୁଣ୍ଡଟି କିନ୍ତୁ ଶୌଚାଳୟରେ ଫସି ରହିଯାଇଥିଲା। ନା ତାହା ଆଗକୁ ଯାଉଥିଲା ନା ପଛକୁ ଫେରୁଥିଲା। ଏଭଳି ସ୍ଥିତିରେ ଛତ୍ରୀଙ୍କ ମା’ ଜାଣିବାକୁ ପାଇ ନବଜାତର ଗୋଡ଼କୁ ଧରି ସେଠି ବସି ରହିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷ ଖବର ପାଇ ଛାତ୍ରୀଙ୍କୁ ପ୍ରସୂତି କକ୍ଷକୁ ନେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ଶୌଚାଳୟ ଖୋଳି ବାହାର କରିଥିବା ବେଳେ ନବଜାତଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି। ତେବେ ଛାତ୍ରୀ ଜଣକ ଅନ୍ୟ ଥାନା ଅଞ୍ଚଳରେ ପଢ଼ୁଥିବା ବେଳେ ଗତକାଲି ହିଁ ସେ ନିଜ ଘରକୁ ଆସିଥିଲେ। ଆଜି ସକାଳୁ ଏ ସବୁ ଘଟଣା ଘଟିଛି। ଯାହାକି ସେ ଯେଉଁ ମହାବିଦ୍ୟାଳୟର ଅଧ୍ୟୟନ କରୁଥିଲେ ତାଙ୍କ କାର୍ଯ୍ୟଧାରାଙ୍କୁ ନେଇ ଅନେକ ବିଷୟ ଆଲୋଚନାକୁ ଆସିଛି। ସେପଟେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଏବଂ ଦାରିଙ୍ଗବାଡ଼ି ପୋଲିସ ମଧ୍ୟ ଖବର ପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।