ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଗୌଡ଼ ସାହିର ଛାତ୍ରୀ ସୁସ୍ମିତା ଗୌଡ଼ ଡାକ୍ତରୀ ପାଠ ପଢି ନିଜ ଅଞ୍ଚଳ ରୋଗୀଙ୍କ ସେବା କରିବାକୁ ଇଚ୍ଛା ରଖିଥିବା ବେଳେ ଦୁର୍ଭାଗ୍ୟ ବଶତଃ ଜାନୁଆରୀ ପହିଲାରେ ରାସ୍ତା ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ତାଙ୍କ ଗୋଡ଼ର ଏକାଧିକ ହାଡ଼ ଭାଙ୍ଗି ଚୁରମାର ହୋଇଥିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ବହୁଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ହେଲେ ଏବେ ମଧ୍ୟ ତାଙ୍କ ଗୋଡ଼ର ଏକାଧିକ ଅପରେଶନ ବାକି ରହିଛି। ଏହି ଅପରେଶନ ସରକାରୀ ସହାୟତାରେ ହେଉଥିବା ବେଳେ ବାହାରୁ ଆବଶ୍ୟକ ଔଷଧ, ଇଞ୍ଜେକ୍ସନ କିଣିବା ପାଇଁ ସୁସ୍ମିତାଙ୍କ ମା’ଶଶୀଙ୍କ ନିକଟରେ ଆଉ ସାମର୍ଥ୍ୟ ନାହିଁ। ଏବେ ସୁସ୍ମିତାଙ୍କୁ ଅପରେଶନ ପାଇଁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପରୀକ୍ଷା ନିରୀକ୍ଷା ଚାଲିଛି ଅପରେଶନ ପାଇଁ ଡାକ୍ତର ପ୍ରସ୍ତୁତ ହେଉଛନ୍ତି l ଖବର ପାଇବା ପରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଶରତ ଶବର ଓ ଡାକ୍ତର ଟିମ ଯାଇ ସୁସ୍ମିତାଙ୍କ ଘରେ ପହଞ୍ଚି ତଦନ୍ତ କରି ଜିଲା ପ୍ରଶାସନକୁ ଜଣାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସୁସ୍ମିତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ମାତ୍ର ୨୦ ହଜାରରେ ତାଙ୍କ ଅପରେଶନ କିଭଳି ସମ୍ଭବ ସେ ନେଇ ସୁସ୍ମିତାଙ୍କ ମା’ଶଶୀ ଚିନ୍ତିତ ଥିବା କହିଛନ୍ତି। ଜିଲା ପ୍ରଶାସନ ସୁସ୍ମିତାଙ୍କ ଅପରେଶନ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେଲେ ସେ ଉତ୍ତମ ଚିକିତ୍ସା ପାଇବା ସହ ଶୀଘ୍ର ସୁସ୍ଥ ହୋଇପାରିବେ ଓ ପାଠ ପଢି ଡାକ୍ତର ହେବେ ବୋଲି ସୁସ୍ମିତା ଆଶା ରଖିଛନ୍ତି।