ବୈଶିଙ୍ଗା : ସରକାରୀ ଯୋଜନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ କେତେ ତତ୍ପର ତାହା ଏହି କୈଳାଶ ହଚେରୀ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। କୈଳାଶ ହଚେରୀ ଠାରେ ବିଭିନ୍ନ ପ୍ରଜାତିର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ଦୀର୍ଘ ବର୍ଷ ଧରି ଚାଲି ଆସୁଥିବାରୁ ତତ୍କାଳୀନ ମୟୂରଭଞ୍ଜ ଜିଲ୍ଲାପାଳ ରାମେଶ ପ୍ରଭାକର ପାଟିଲ ପରିଦର୍ଶନରେ ଆସି ଏଠାରେ ମତ୍ସ୍ୟ ଚାଷ ପ୍ରଶିକ୍ଷଣ ଅନୁଷ୍ଠାନ ଓ ଗବେଷଣା କେନ୍ଦ୍ର କରାଯିବା ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ। ଏଥି ସହିତ ବୈଶିଙ୍ଗା-ରୂପସା ଆରଡି ରାସ୍ତାରୁ କୈଳାଶ ହଚେରୀ ପର୍ଯ୍ୟନ୍ତ ଖୁଣ୍ଟାପୁର- ବଡଗୋପାଳପୁର ଗ୍ରାମ୍ୟ ଜଙ୍ଗଲ ମଧ୍ୟ ଦେଇ ଏକ ରାସ୍ତାର ଆବଶ୍ୟକତା ପାଇଁ ଜଙ୍ଗଲ ବିଭାଗକୁ ଏକ ଚିଠି ଲେଖିଥିଲେ। ୨୦୧୭ ମସିହାରେ ଏହି ରାସ୍ତାଟି ସରକାରଙ୍କ ଦ୍ୱାରା ସ୍ଵୀକୃତି ପାଇବା ସହିତ ରାସ୍ତା ନିର୍ମାଣ କରିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଆସିଥିଲା। ମାତ୍ର ସରକାରୀ କଳର ଉଦାସୀନତା ପାଇଁ ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ହୋଇ ପାରି ନଥିଲା। ୨୦୨୧ ମସିହା ମେ ମାସରେ ରାଜନୈତିକ ଦଳ ଚାପରେ ଅଣପଞ୍ଜୀକୃତ ଜଙ୍ଗଲ କମିଟି ସମ୍ପୂର୍ଣ୍ଣ ଜଙ୍ଗଲକୁ ଘେରି ଦେବା ପରେ ବିବାଦ ଉପୁଜିଥିଲା। ଫଳରେ ପ୍ରଶିକ୍ଷଣ ପ୍ରତିଷ୍ଠାନ , ଗବେଷଣା କେନ୍ଦ୍ର ଏବଂ ଜାଆଁଳ ଉତ୍ପାଦନରେ ବାଧା ଉପୁଜିବାରୁ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହେବା ସହିତ ପ୍ରାୟ ୩୦୦୦ ରୁ ଅଧିକ ମାଛ ଚାଷୀ ଯାଆଁଳ ନ ପାଇବା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ । ଏହି ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିକଟରେ ପହଞ୍ଚିବା ପରେ ଖୁବ୍ ଶୀଘ୍ର ରାସ୍ତା ଚିହ୍ନଟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା। ଏହି ନିର୍ଦ୍ଦେଶ ମିଳିବାର ପାଞ୍ଚ ମାସ ପରେ ଆଜି ଶୁକ୍ରବାର ପୂର୍ବାହ୍ନରେ ରେଞ୍ଜର ଘନଶ୍ୟାମ ସିଂ ଓ ବୈଶିଙ୍ଗା ବନପାଳ ହିମାଂଶୁ ମହାନ୍ତ ଏବଂ ଅନ୍ୟ ବନ୍ୟ କର୍ମଚାରୀଙ୍କ ସହଯୋଗରେ ରାସ୍ତାଟିକୁ ଚିହ୍ନଟ କରାଯାଇଥିଲା।