ବୈଶିଙ୍ଗା–୧୮/୧– ବୈଶିଙ୍ଗା ବଜାରରେ ଏକ ଗହଣା ଦୋକାନ ରାଧାକୃଷ୍ଣ ଜୁଏଲାରୀରୁ ଆଜି ଅପରାହ୍ନ ୫ ଘଟିକା ସମୟରେ ଦୁଇ ଜଣ ମହିଳା ରୂପା ପାଉଁଜି ନେବାକୁ ଆସି ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଜୁଏଲାରୀ ମାଲିକ ତରୁଣ କୁମାର ରଣା ଏବଂ ସେଲସ ମ୍ୟାନ ଦୁଇଜଣ ଦୋକାନରେ ଥିବା ସମୟରେ ଅପରାହ୍ନ ୫ ଘଟିକା ସମୟରେ ତିନିଜଣ ମହିଳା ଓ ଜଣେ ପୁରୁଷ ପିଲା ଦୋକାନକୁ ଆସି ପାଉଁଜି ନେବେ ବୋଲି କହିଲେ। ଦୋକାନୀ କିଛି ପାଉଁଜି କାଢି ସୋ କେସ ଉପରେ ରଖି ଦେଖାଇଥିଲେ। ବାରମ୍ଵାର ପାଉଁଜିକୁ ଓଜନ କରିବାକୁ କହି ଦୋକାନୀକୁ ଅନ୍ୟମନସ୍କ କରାଇ କିଛି ଯୋଡ଼ା ପାଉଁଜିକୁ ବ୍ୟାଗରେ ପୂରାଇବାରେ ସକ୍ଷମ ହୋଇଥିଲେ। ଇତ୍ୟବସରରେ ଅଳ୍ପ ବୟସ୍କା ମହିଳା ଦୁଇ ଜଣ ଏବଂ ପୁରୁଷ ପିଲାଟି ଦୋକାନ ବାହାରକୁ ପଳାଇଥିଲେ। କିଛି ସମୟ ପରେ ବୟସ୍କା ମହିଳା ଜଣକ ପଇସା କମ ଅଛି କହି ବାହାରକୁ ଚାଲି ଯାଇଥିଲା। ସଙ୍ଗେ ସଙ୍ଗେ ସନ୍ଦେହ ହେବାରୁ ଦୋକାନୀ ନିଜର ସିସି ଟିଭି ଫୁଟେଜ ଦେଖିବାରୁ ସନ୍ଦେହ ବଢିଯାଇଥିଲା। ଦୋକାନୀ ବାହାରକୁ ବାହାରି ଚୋରି ହୋଇଗଲା ବୋଲି ପାଟି କରିବାରୁ ବୟସ୍କା ମହିଳା ଜଣକ ତିନି ଯୋଡ଼ା ପାଉଁଜି ଫିଙ୍ଗି ଦେଇ ଦୌଡିବାକୁ ଲାଗିଲା। ଦୁଇଶହ ମିଟର ଦୂରରେ ଏକ ଯାତ୍ରୀବାହୀ ବସକୁ ଚଢିଯାଇଥିଲେ। ଘଟଣା ସ୍ଥଳରେ ବହୁ ସଂଖ୍ୟାରେ ଦୋକାନୀ ଭାଇମାନେ ପହଞ୍ଚି ବସ ଭିତରୁ ମହିଳାକୁ ଓହ୍ଲାଇବା ପରେ ସେ ସମ୍ପୂର୍ଣ୍ଣ ନିର୍ବସ୍ତ୍ର ହୋଇ ଦୌଡି ପଳାଇଥିଲେ। ଆଉ କେତେ ଯୋଡ଼ା ପାଉଁଜି ଚୋରି ହୋଇଛି ସଠିକ ପ୍ରମାଣ ମିଳି ପାରି ନାହିଁ। ବୈଶିଙ୍ଗା ପୁଲିସ ଏହି ଘଟଣାର ତନାଘନା ଜାରି ରଖିଥିବାର ଜଣାଯାଇଛି।